jayashree

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ଆନୁକୂଲ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ଓ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ. ରତ୍ନାକର ରାଉତ ସ୍ୱାଗତ ଅଭିଭାଷଣ ଦେବା ସହିତ ଆୟୋଜିତ ହେବାକୁ ଥିବା ମେଳାର ରୂପରେଖ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ମେଳାକୁ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ଉପରେ ଜିଲ୍ଲାପାଳ ଶ୍ରୀ ରାୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସୁସମନ୍ୱୟ ପୂର୍ବକ ମେଳାର ଯୋଜନା ରୂପରେଖ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ମେଳା ଆସନ୍ତା ନଭେମ୍ବର ତୃତୀୟ ସପ୍ତାହ ମଧ୍ୟରେ ଦୁଇଦିନ ଧରି ଆୟୋଜନ କରାଯିବାକୁ ସ୍ଥିରୀକୃତ କରାଯାଇଛି । ମେଳାରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଣ୍ଡପ ସାଙ୍ଗକୁ ମଡେଲ ପ୍ରଦର୍ଶିତ କରାଯିବ । ପୁନଶ୍ଚ ମେଳାରେ ବିଭିନ୍ନ ଖାଦ୍ୟ ପସରା ସମ୍ମିଳିତ ଫୁଡ କୋଟ ଓ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଷ୍ଠିତ ଅଦ୍ୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର କୁମାର ନାୟକ, ସି ଡି ଓ ତଥା ଇଓ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, ତଥା ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.