ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ରାଣୀପୁର ଝରିଆଲ ମହାଶିବରାତ୍ରି ମେଳା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବ ପୁରାତନ ଐତିହ୍ୟ ସମ୍ପହ୍ନ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବ ପୀଠରେ ଚାଲିଥିବା ମହାଶିବରାତ୍ରି ମେଳାର ପୂର୍ଣ୍ଣାହୁତି ହୋଇଛି । ଶୈବ, ଶାକ୍ତ, ବୌଦ୍ଧ, ଗାଣପତ୍ୟ ଓ ତନ୍ତ୍ର, ମନ୍ତ୍ରର ପୀଠରେ ଦୁଇ ବର୍ଷ ବ୍ୟବଧାନରେ ମହାଶିବରାତ୍ରି ପାଳନ ହୋଇଥିବାରୁ ଉଭୟ ଯୋଗିନୀ ଓ ସୋମେଶ୍ୱର ମହାଦେବ ଭକ୍ତଙ୍କ ମଧ୍ୟରେ ଏହି ମହାଶିବରାତ୍ରି ଅବସରରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଆତୁର ହୋଇ ପଡୁଥିବା ଦେଖାଦେଇଥିଲା । ସୋମେଶ୍ୱର ମହାଦେବ ମନ୍ଦିରର ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀଙ୍କ ସହ ରବି ତ୍ରିପାଠୀ, ମେଘନାଦ ତ୍ରିପାଠୀ ପୂଜକ ଭାବେ କାର୍ଯ୍ୟ ତୁଳାଇଥିବା ବେଳେ କର୍ତ୍ତା ଭାବରେ ଧନୀରାମ ଭୋଇ ଓ ତାଙ୍କ ସହଧର୍ମିଣୀ ଧନମତୀ ଭୋଇ କାର୍ଯ୍ୟ ତୁଳାଇଥିଲେ । ସେହିପରି ଭାବରେ ଆହୁତି ଯଜ୍ଞ ପାଇଁ ପିତାମ୍ବର ପଣ୍ଡା ଓ ଲିକୁ ପାଢି ପୂଜକ ଥିବା ବେଳେ ବିଶ୍ୱମ୍ବର ଭୋଇ ଓ ତାଙ୍କ ସହଧର୍ମିଣୀ ବେଳମତୀ ଭୋଇ କର୍ତ୍ତା ଭାବରେ ଦାୟିତ୍ୱ ତୁଳାଇଥିଲେ । ଚଳିତ ବର୍ଷ ପ୍ରଥମ ଦିନରୁ ହିଁ ବହୁ ଭିଡ ପରିଲକ୍ଷିତ ହୋଇଥିଲା । ୭ ଦିନ ଧରି ଚାଳିଥିବା ଏହି ମେଳାରେ ପ୍ରଥମ ୫ ଦିନ ଅସଂଖ୍ୟ ଭିଡ ଦେଖା ଯାଇଥିଲା । ଯାହା ଫଳରେ ପୋଲିସ ପ୍ରଶାସନ ଓ କମିଟିର ସଦସ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଏଥର ପ୍ରଥମରୁ ହିଁ ଭିଡ ନିୟନ୍ତ୍ରଣ ସହିତ ଭକ୍ତ ଓ ଶ୍ରଦ୍ଧାଳୁ କେମିତି ବେଶ ଆରାମରେ ସୋମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ମେଳାରେ ଆସିଥିବା ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରି ପାରିବେ ସେଥିପାଇଁ ଭିଡକୁ ଚାରୋଟି ସ୍ଥାନରେ ଭାଗ କରାଯାଇଥିଲା । ପ୍ରତିଦିନ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃଷ୍ଣ ଗୁରୁ କାର୍ଯ୍ୟକ୍ରମ, ମେଲୋଡି ଓ ଦଣ୍ଡନୃତ୍ୟ ଆୟୋଜନ ହୋଇଥିଲା । ଏହି ଅବସରରେ ମନ୍ଦିର କମିଟିର ସଭାପତି ମାଣିକଚନ୍ଦ ଜୈନ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, କୋଷାଧ୍ୟକ୍ଷ ପର୍ମାନନ୍ଦ ଭୋଇ, ବରିଷ୍ଠ ସଦସ୍ୟ ସନ୍ୟାସୀ ଭୋଇ, ଧନୀରାମ ଭୋଇ, ଇନ୍ଦ୍ରମଣି ଭୋଇ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର, ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ)ର ବଲାଙ୍ଗିର ଜିଲ୍ଲା ଗ୍ରାମାଞ୍ଚଳ ସମ୍ପାଦକ ଅନିଲ କୁମାର ତ୍ରିପାଠୀ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କମିଟି ସଭାପତି ମଞ୍ଜେସ ମେହେର, ସନ୍ତୋଷ ତ୍ରିପାଠୀ ପ୍ରମୁଖ ମଞ୍ଚରେ ସମସ୍ତଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ବିକାଶ ପନିକା ମଞ୍ଚ ପରିଚାଳନା କରିଥିବା ବେଳେ କୃଷ୍ଣ ଚନ୍ଦ୍ର ସାହୁ, ଗୋପୀନାଥ ସାହୁ, ଜ୍ୟୋତି ସାହୁ, ଲଲିତ ସାହୁ, କିଶୋର ସାହୁ, ଗଣେଷ ସାହୁ, ଗୌରାଙ୍ଗ ମହାନନ୍ଦ, ନିତ୍ୟାନନ୍ଦ ପୃଷେଠ, ଓମଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ମେଳାରେ ଝରିଆଲ ପଞ୍ଚାୟତର ଗାଁ ସାଥୀମାନଙ୍କ ଦ୍ୱାରା ଜଳଛତ୍ର ଖୋଲି ପିଇବା ପାଣି ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.