ତେନ୍ତୁଳିଖୁଣ୍ଟି ସ୍କୁଲରେ ଅଘଟଣ : ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନରେ ଏକ ମଲା ଝିଟିପିଟି ପଡ଼ିଥିବା ବେଳେ ଏହି ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବେଳେ ସମସ୍ତଙ୍କୁ ଟିଟିଲାଗଡ ମାତୃ ଓ ଶିଶୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଶନିବାର ସକାଳୁଆ ସ୍କୁଲ ଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ରାନ୍ଧି ଖାଇବାକୁ ଦିଆଯାଇଥିଲା । କିନ୍ତୁ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ବହୁ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା, ପେଟ ବ୍ୟଥା ସହ ବାନ୍ତି କରିବାରୁ ସେମାନେ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ । ଏହି ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲରେ ଏକ ମେଡିକାଲ୍ କ୍ୟାମ୍ପ କରି ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯାଉଛି । ଶିକ୍ଷା ବିଭାଗ ତଥା ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି । ସ୍କୁଲର ପାଚିକାମାନେ ମଧ୍ୟାହ୍ନ ଭୋଜନ ରାନ୍ଧିବା ବେଳେ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ କରି ସ୍କୁଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଜଣେ ଛାତ୍ରୀଙ୍କ ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରିଥିଲା ଏବଂ ଏହାଯୋଗୁଁ ଖାଦ୍ୟ ବିଷାକ୍ତ ହେଇଯାଇଥିଲା । ଯେହେତୁ ଅଧିକାଂଶ ଛାତ୍ରଛାତ୍ରୀମାନେ ଏହି ଖାଦ୍ୟ ଖାଇସାରିଥିଲେ, ଏହାର ବିଷକ୍ରିୟା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇବାରୁ ସ୍କୁଲର ଜଣେ ଶିକ୍ଷକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ପ୍ରାୟ ୯୦ରୁ ଅଧିକଛାତ୍ରଛାତ୍ରୀ ଏହି ବିଷକ୍ରିୟା ଯୋଗୁଁ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଟିଟିଲାଗଡ଼ ଏବଂ ଏହାର ଆଖପାଖରେ ଥିବା ସିନ୍ଧେକେଲା, ଫଫସି, ଲେବଡା, ବେଲଗାଁ ଏବଂ ଟିକ୍ରାପଡ଼ା ଡାକ୍ତରଖାନାରେ ନିୟୋଜିତ ଥିବା ସମସ୍ତ ୧୦୮ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ୧୦୮ ଆମ୍ବୁଲାନ୍ସର ଜରୁରୀକାଳୀନ ଅଧିକାରୀ ଟେକରାଜ ବାରିକ ଏବଂ ମାନସ ରଞ୍ଜନ ବେହେରାଙ୍କୁ ସୂଚନା ଦେବା ସହ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଘଟଣାରେ ବିଭିନ୍ନ ୧୦୮ ଆମ୍ବୁଲାନ୍ସ ଦ୍ୱାରା ସର୍ବମୋଟ ୯୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ତେନ୍ତୁଲିଖୁଣ୍ଟି ଉଚ୍ଚ ବିଦ୍ୟାଳୟରୁ ଉଦ୍ଧାର କରି ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହିତ ସେମାନଙ୍କ ଚିକିତ୍ସା ସେବା ଜାରୀ ରହିଛି । ଉପଯୁକ୍ତ ସମୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଯୋଗୁଁ ଏକ ବଡ ବିପଦ ଟଳିଯାଇଥିବା ଯୋଗୁଁ ଅଭିଭାବକ ମହଲରେ ୧୦୮ ଆମ୍ବୁଲାନ୍ସ ସେବାକୁ ପ୍ରଶଂସା କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ବିଷୟରେ ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୨୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେ ଘଟଣାକୁ ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ବ୍ଲକ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ୯୦ରୁ ଅଧିକ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି, ସମସ୍ତଙ୍କର ଅବସ୍ଥା ସ୍ଥିର ରହିଛି, ପରିସ୍ଥିତି ପ୍ରତି ଦୃଷ୍ଟି ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଏଡିଏମଓ ଡ ପ୍ରଦୀପ କୁମାର ନାୟକ ଖାଦ୍ୟ ବିଷାକ୍ତ ଯୋଗୁଁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ ଏବେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି । ଡିଇଓ ପ୍ରଦୀପ କୁମାର ନାଗ ମୁଁ ଘଟଣା ସମ୍ପର୍କରେ ବିଇଓଙ୍କୁ ସମ୍ପୁର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ପ୍ରକାଶ କରିଥିଲେ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରି ଚିକିତ୍ସା ଜାରି ରହିଛି, ସମସ୍ତେ ଶୀଘ୍ର ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବେ ବୋଲି ପ୍ରକାଶ କରିଛନ୍ତି ।