- ମାତୃଜାତିର ସହଭାଗୀତା ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ
ରାଉରକେଲା, (ସସ୍ମିତା ପ୍ରଧାନ) : ନାରୀ ହେଉଛି ପରିବାରର କେନ୍ଦ୍ରବିନ୍ଦୁ । ସେ ଜନନୀ ରୂପରେ ହେଉ କି ଜାୟା ରୂପରେ ହେଉ । ତା’ଛଡା ନାରୀ ହେଉଛି ଏକ ଘରର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ତେଣୁ ମାତୃଜାତିର ସହଭାଗୀତା ବିନା ଏକ ସୁସ୍ଥ ସମାଜ ଗଠନର ପରିକଳ୍ପନା ଅସମ୍ଭବ ବୋଲି କୋଇଡା ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ଅନୁଷ୍ଠିତ ମାତୃ ସମ୍ମିଳନୀ ଏବଂ ସମର୍ପଣ ଉତ୍ସବରେ ମତପ୍ରକାଶ ପାଇଛି । ସର୍ବପ୍ରଥମେ ମା’ ଭାରତୀଙ୍କ ଫୋଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ସାମୁହିକ ବନ୍ଦନା ଓ ପ୍ରାର୍ଥନା ଗାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କୋଇଡାର ବିଶିଷ୍ଟ ଶିକ୍ଷାବିତ୍ ତଥା ନାରୀ ନେତ୍ରୀ ରଶ୍ମି ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମନ୍ୱିତ ଶିଶୁ ବିକାଶ ଯୋଜନାର ଦମୟନ୍ତୀ ପାତ୍ର ଏବଂ ମୁଖ୍ୟବକ୍ତା ଭାବରେ ସାମାଜିକ କାର୍ଯ୍ୟକର୍ତ୍ତା ଶିବାନନ୍ଦ ମାଝୀ ଯୋଗଦେଇ ସାମାଜିକ ଓ ସାଂସ୍କୃତିକ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ମାତୃଜାତିର ଉତ୍ତର ଦାୟିତ୍ୱ ଏବଂ ଆବଶ୍ୟକତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତା’ସହିତ ଶିଶୁ ମନ୍ଦିରର ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ତନ, ମନ, ଧନ ଅର୍ପଣ ପୂର୍ବକ ସହଭାଗୀ ହେବାକୁ ଆହ୍ୱାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅକ୍ଷୟ ସା, ହୀନା ଜୟସ୍ୱାଲ, ଅନିତା ବାରିକ, ସସ୍ମିତା ଦାଶ, ସୁଚିତା କେର୍କେଟା, ସରୋଜିନୀ ଦେହୁରୀ, ରଞ୍ଜୁ ଦେହୁରୀ, ଅନିତା ଦେବୀ, ରିମା ଦେବୀ, ବେଙ୍କୁ ରାଉତ, ରଞ୍ଜିତା ବାରିକ, ଗୀତାଞ୍ଜଳି ଘଣା, ଅହଲ୍ୟା ପାତ୍ର, ସରସ୍ବତୀ ସାହୁ, ସାବିତ୍ରୀ ବେହେରା, କିରଣବାଲା ହାତୀ, ଲୀନା ଭୂମିଜ୍, ଅନୁପମା ଦଣ୍ଡସେନା, ସ୍ମିତା ମହାପାତ୍ର, ଗୀତ ଗୁଡ଼ିଆ, ଅରବିନ୍ଦ ମହାନ୍ତ, ହେମନ୍ତ ମହାନ୍ତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।