jayashree

ମାଟି, ମଣିଷ ଓ ସଂସ୍କୃତି

  • ଡକ୍ଟର ଲକ୍ଷ୍ମଣ ମେହେର

ମାଟି ସହିତ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପାଣି, ପବନ ହେଉଛି ମାନବର ଜୀବନ ନିର୍ବାହର ମୂଳଦୁଆ । ସଂସ୍କୃତି ହେଉଛି ତା’ର ପରିଚୟ । ଗ୍ରାମୀଣ ଜନତା ପରମ୍ପରାକୁ ପ୍ରାଧାନ୍ୟ ଦେଇଥାଏ । ପୂର୍ବପୁରୁଷଙ୍କ ଠାରୁ ଚଳି ଆସୁଥିବା ପ୍ରଥା, ବିଶ୍ୱାସକୁ ବିନା ପ୍ରତିବାଦରେ ପାଳନ କରିବା ପାଇଁ ସେ ଶତମୁଖର । ନିଜେ ସମାଜ ଭିତରେ ରହି ବାସ କରୁଥିବା ହେତୁ ଶୃଙ୍ଖଳା ରକ୍ଷା କରିବା ତା’ର ପ୍ରଥମ କର୍ତ୍ତବ୍ୟ । ସେଇଥିପାଇଁ ସମାଜକୁ କେନ୍ଦ୍ର କରି ବିଭିନ୍ନ ନୀତିନିୟମର ପ୍ରଣୟନ । ଏହାର ଅନ୍ୟତମ ସ୍ୱରୂପ ସମାଜ ସଂସ୍କାର । ତା’ ଜୀବନମାର୍ଗର ଧାରା ତଥା ଲୋକ ମାନସର ଚଳଣି, ବ୍ୟବହାର, ଆତିଥ୍ୟ, ବିଶ୍ୱାସ ହେଉଛି ତା’ର ସଂସ୍କୃତି ।
ସଂସ୍କୃତି ହେଉଛି ମାନବ ସମାଜ ଭିତରେ ଯୋଗସୂତ୍ରର ବନ୍ଧନ । ଏହା ଲୋକଙ୍କର ଜୀବନ ଧାରଣର ଶୈଳୀ । ସାମାଜିକ ଚଳଣି, ଭାଷା, ଧର୍ମ, ଖାଦ୍ୟପେୟ, ବାସସ୍ଥାନ, ପରିଧାନ, ପ୍ରସାଧନ, ଅଳଙ୍କାର, ନାଚ, ଗୀତ ମାଧ୍ୟମରେ ଏହା ପ୍ରସ୍ଫୁଟିତ । ଗୋଟିଏ ପିଢିରୁ ଅନ୍ୟ ଏକ ପିଢିକୁ ଏହା ଗଡ଼ି ଚାଲିଥାଏ । ପୁରୁଷାନୁକ୍ରମେ ପ୍ରଚଳିତ ଧାରା, ଜୀବିକାର ପ୍ରଣାଳୀ, ପ୍ରଥା ଏବଂ ଜୀବନଧାରଣର ପଦ୍ଧତିରୁ ହିଁ ସଂସ୍କୃତିର ସୃଷ୍ଟି । ବେପରୁଆ ଭାବନା ହିିଁ ଅପସଂସ୍କୃତିକୁ ପାଛୋଟି ଆଣିଥାଏ । ଏଥି ପ୍ରତି ବୁଦ୍ଧିଜୀବୀଙ୍କ ଯଥେଷ୍ଟ ଧ୍ୟାନ ରହିବା ଆବଶ୍ୟକ । ଏହା ମାନବ ସଭ୍ୟତାର ହିତ ସାଧନ କ୍ଷେତ୍ରରେ ସହାୟ ହୁଏ । ସଂସ୍କାରସମ୍ପନ୍ନ ପ୍ରତି ଗୁରୁତ୍ୱ ରଖେ । ସଂସ୍କୃତି କସ୍ମିନ କାଳେ ମୃତ ନୁହେଁ, ଜୀବନ୍ତ । ଯାହା ମାନବର ମାନସ ସାଧନାରୁ ହିଁ ସୃଷ୍ଟି । ଏଣୁ ସର୍ବଦା ଉଜ୍ୱଳ ଏବଂ ଚଳଚଞ୍ଚଳ ।
ମାଟି ସହିତ ମଣିଷର ନିବିଡ଼ ସମ୍ପର୍କ । ମାନବ ଜୀବନଧାରଣ ପାଇଁ ଅହରହ ସଂଗ୍ରାମ କରିଥାଏ । ବଞ୍ଚିବାର ଉପାୟ ଏବଂ ଜୀବିକାର ଧାରା ନିଜେ ହିଁ ସୃଷ୍ଟି କରିଛି । ଏଇ ସଂଗ୍ରାମ ହେତୁ ମାଟିର ମହାନତା ଉଲ୍ଲେଖନୀୟ । ଏଇଥିପାଇଁ ସାଂସ୍କୃତିକ ପରିବର୍ତ୍ତନ ମଧ୍ୟ । ଏହା ଦ୍ୱାରା ସଭ୍ୟତାର ଯଥେଷ୍ଟ ବିକାଶ ସାଧିତ ହୋଇଛି । ଯଦି ମଣିଷ ନିଜସ୍ୱ ଚିନ୍ତାଧାରାରେ ପରିବର୍ତ୍ତନ ନ ଆଣି ପ୍ରକୃତିର ଦାନରେ ସନ୍ତୁଷ୍ଟ ହୋଇ ରହିଯାଇଥାନ୍ତା, ତା’ ହେଲେ ଆଜି ପର୍ଯ୍ୟନ୍ତ ବଣର ଫଳ, ମୂଳ ଖାଇ ଗିରିଗୁମ୍ଫାରେ ଜୀବନଯାପନ କରୁଥାନ୍ତା । ଭାଷା କିମ୍ବା ସଭ୍ୟତାର ବିକାଶ ଆଦୌ ଘଟି ନଥାନ୍ତା । ଏହାକୁ ଦୃଷ୍ଟିରେ ରଖି କହିବାକୁ ହେବ, ପ୍ରକୃତି ଉପରେ ଆଧିପତ୍ୟର ପରିଚୟ ହିଁ ସଂସ୍କୃତି । ଏ ହେଉଛି ଯୁଗ ପରିବର୍ତ୍ତନର ଗାଥା ।
ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ବିଭିନ୍ନ ଧର୍ମ, ବର୍ଣ୍ଣ, ଜାତି, ସଂପ୍ରଦାୟର ଲୋକଙ୍କ ବାସସ୍ଥଳୀ । ଏହା ନୈସର୍ଗିକ ପ୍ରକୃତିରାଜିର ଗନ୍ତାଘର । ସେଇଥିପାଇଁ ସ୍ଥାନ ବିଶେଷରେ ଲୋକଙ୍କ ଚଳଣି କିମ୍ଭୂତକିମାକାର । ଭାଷା, ବ୍ୟବହାର, ପର୍ବପାଳନର ନୈତିକ ଦୃଷ୍ଟିଭଙ୍ଗୀ କ୍ଷେତ୍ରରେ ବହୁବିଧ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ସଭ୍ୟତାର ବିକାଶ କାରଣରୁ ରାଜ୍ୟର ଲୋକେ ସାରା ଭାରତ ଭ୍ରମଣ କରିବାର ସୁଯୋଗ ପାଉଛନ୍ତି । ବିଶେଷ କରି ଏ ଅଞ୍ଚଳର ସାଂସ୍କୃତିକ ବିଭବ କ୍ଷେତ୍ରରେ ପଡେ଼ାଶୀ ଆନ୍ଧ୍ର, ଛତିଶଗଡ, ବିହାର, ପଶ୍ଚିମବଙ୍ଗର ଯଥେଷ୍ଟ ପ୍ରଭାବ ରହୁଥିବା ପରିଲକ୍ଷିତ । ତଥାପି, ସାଂସ୍କୃତିକ ଦୃଷ୍ଟିକୋଣରୁ ଓଡ଼ିଶାର ଯଥେଷ୍ଟ ସ୍ୱାତନ୍ତ୍ର୍ୟ ରହୁଥିବା ଅନୁମେୟ ହୁଏ । ଉତ୍କଳ ପ୍ରଦେଶର ଗୌରବାବହ ସଂସ୍କୃତିକୁ ଚିହ୍ନିବାକୁ ହେଲେ ଏଇ ପବିତ୍ର ମାଟି ପ୍ରତି ଆନ୍ତରିକତା ଆବଶ୍ୟକ । ଆମ ଅଂଚଳରେ ପ୍ରଚଳିତ ପର୍ବପର୍ବାଣିର ଆଧ୍ୟାତ୍ମିକ ଧାରା ଅନ୍ୟତ୍ର ବିରଳ ।
ମାନବର ବଂଚିବା ସକାଶେ ତିନୋଟି ମୌଳିକ ଉପାଦାନ ଅତ୍ୟାବଶ୍ୟକ । ତାହା ହେଉଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପ୍ରାକ୍‌ କାଳରେ ମାନବ ପାଇଁ ଏହା କଷ୍ଟସାଧ୍ୟ ଥିଲା । ପାହାଡ଼ିଆ ଇଲାକାରେ କିମ୍ବା ପଥରଗୁମ୍ଫାରେ ଜୀବନ ବିତାଉଥିଲା । କାଳକ୍ରମେ ସଂସ୍କୃତି ଏବଂ ସଭ୍ୟତାର ବିକାଶ କାଳରେ ଜଳାଶୟର ସୁବିଧା ଦେଖି ଗୃହ ନିର୍ମାଣ କରି ଜୀବନଯାପନ ପାଇଁ ସୁରକ୍ଷିତ ମଣିଲା । ଲୋକେ ଗୃହରେ ସୁସ୍ଥ ଜୀବନ ପାଇଁ ଲୋକେ ଗୁରୁତ୍ୱ ଦେଲେ । ବିଭିନ୍ନ ବିତ୍ତିୃକୁ ଜୀବନଧାରଣର ମାର୍ଗ ଭାବେ ଆପଣେଇ ନେଲେ ।
ଅନୁଧ୍ୟାନରୁ ଜଣାଯାଏ ଯେ ଚାକଚକ୍ୟ ପ୍ରତି ଆକର୍ଷିତ ହେଉଥିବା ମଣିଷର ଜୀବନ ଅଧିକ ଯନ୍ତ୍ରଣାଦଗ୍ଦ ହେଉଛି । ଆଗକାଳରେ ଲୋକମାନେ ଘରକୁ ମୁଖ୍ୟତଃ ଆଡମ୍ବରଶୂନ୍ୟ ଏବଂ ପରିଷ୍କାର ରଖିବାକୁ ପସନ୍ଦ କରୁଥିଲେ । ଘରଟି ମାଟି କାନ୍ଥରେ ନିର୍ମିତ ହେଉଥିଲା । ଗ୍ରାମ୍ୟଗୃହ ସବୁ ନଡ଼ା ପୁଆଳରେ ଛାଉଁଣି ହେଉଥିଲା । ଦାବ ଖର, ଖଜୁର ଖର, ତାଲ ବରଡାରେ ଘରର ଛାଉଁଣି ନିର୍ମାଣ ହେଉଥିଲା । ଘରକୁ ପଶିବା ପାଇଁ ଛୋଟ ରାସ୍ତା ରହୁଥିଲା । ଏ ପ୍ରକାର ଗେଡା ଘରକୁ ଲୋକେ ଛିତ୍‌କି କୁରିଆ କହୁଥିଲେ । ଏଇ ଘରେ ପାଟି, ଚନ୍‌ଖା, ଉର୍‌ହା ଲାଗୁଥିଲା । ବାଟରେ ବାଉଁଶ ପାତିଆରେ ତିଆରି କବାଟ ଆଉଜା ହୋଇଥାଏ । ଲୋକେ କହୁଥିଲେ, ‘ଖରା ବର୍ଷା ଶିତ୍‌ – ସବୁ ଦିନେ ହିତ୍‌ ।’ ବର୍ଷର ବିଭିନ୍ନ ସମୟରେ ଝୋଟି, ଚିତା ତଥା ବିଭିନ୍ନ ରତାମାଟି, କଲା ମାଟି, ଚୁନ ରଙ୍ଗରେ ଘରକୁ ସଜାଇବା ପାଇଁ ଲୋକେ ପସନ୍ଦ କରୁଥିଲେ । ଅନେକ ମାଟି ଘରଗୁଡ଼ିକୁ ବାରମାସୀ ଫୁଲ, ଜହ୍ନି, କାକୁଡି, ଲାଉ, କଖାରୁ, ମାଖନ, ସିମ୍ବ ଇତ୍ୟାଦି ଲତା ଗଛଗୁଡ଼ିକ ମାଡ଼ି ରହିଥିବା ଯୋଗୁଁ ପ୍ରାକୃତିକ ପରିବେଶଟି ରୋମାଞ୍ଚକର ଲାଗୁଥିଲା । ସେତେବେଳେ ସାମାଜିକ ଜୀବନରେ ଗୋଟେ ଭାଇଚାରା ଥିଲା । ଦ୍ୱାରବନ୍ଧର ଉପର ପଟେ ଲୋକେ ଆମ୍ବ ତୋରଣ ଲଗାଇ ନିଜକୁ ପବିତ୍ର ମଣୁଥିଲେ ।
ସମୟ ପରିବର୍ତ୍ତନ ସହ ସାମାଜିକ ପାରିପାର୍ଶ୍ଵିକ ଅବସ୍ଥାରେ ଘୋର ପରିବର୍ତ୍ତନ ଆସିଛି । ସାଂପ୍ରତିକ ସମୟରେ ସ୍ଥାନ ବିଶେଷରେ ଭିନ୍ନଭିନ୍ନ ପାଚେରୀ, ଅଟ୍ଟାଳିକା ନିର୍ମାଣ, କଙ୍କ୍ରିଟ୍‌ ରାସ୍ତା ପରିବେଶକୁ କୃତ୍ରିମ କରିଦେଉଛି । ଲୋକେ ଘରର ଭିତର ପଟୁ ଜଳପୂର୍ଣ୍ଣ କଳସୀଟିଏ ରଖୁଛନ୍ତି । ପଣ୍ଡିତଠାରୁ ଶୁଭ ସମୟ ନେଇ ନାରୀକୁ ପ୍ରସୂତୀ କରାଯାଉଛି । ଶାରୀରିକ ପରିଶ୍ରମ ଆଉ ନାହିଁ । କୃଷକ ମଜୁରିଆଙ୍କୁ ହେୟ ଜ୍ଞାନ କରାଯାଉଛି । ବୃଦ୍ଧବୃଦ୍ଧା ପ୍ରତି ସମ୍ମାନ ନାହିଁ । ମାନବ ଦିନକୁ ଦିନ ସ୍ୱାର୍ଥ ସର୍ବସ୍ୱ ହୋଇଉଠୁଛି । ରାଜ୍ୟ ତଥା ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ ଦାୟିତ୍ୱଗୁଡିକ ବେପରୁଆମାନଙ୍କ ହାତରେ ଟେକି ଦିଆଯାଉଛି । ଆତ୍ମିୟତାର ଭାବ ଧୀରେଧୀରେ ଉଜୁଡି ଗଲାଣି । ଲୋକଙ୍କ ପାଶ୍ଚାତ୍ୟ ଭାବ ଓ ଭାଷା ପତି ଆସକ୍ତି ବଢୁଛି । କିଛି ଦୁବୃତ୍ତତ୍ତସରଳ ଲୋକଙ୍କ ଭିତରେ ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରି ଆମୋଦଲାଭ କରୁଛନ୍ତି ।
ଆମେ ଆଜି ବିକାଶର ଡିଣ୍ଡିମ ପିଟୁଛୁ ସିନା । କିନ୍ତୁ, ଏସବୁ ଆମ ପାଇଁ କେତେଦୂର ହିତକର ? ସମସ୍ତେ ବିଚାର କରିବା ପାଇଁ ସମୟ ଆସି ଯାଇଛି ।

ଡିଗ୍ରୀ କଲେଜ, କୁଶଙ୍ଗ
ବଲାଙ୍ଗିର

Leave A Reply

Your email address will not be published.