centurian jitm

ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ

nschool

ବଲାଙ୍ଗିର, (କେପିଏନଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ । ଇଂରାଜୀରେ ୧୦୦ରୁ ୯୯ ମାର୍କ ରଖିଥିବା ଆଶାୟୀଙ୍କ ସାର୍ଟିଫିକେଟ୍‌ ଭେରିଫିକେସନ୍‌ ବେଳେ ବଲାଙ୍ଗିର ଡାକ ମଣ୍ଡଳରୁ ଉପୁଜିଥିବା ସଂଦେହ ଆଜି ସଂପୂର୍ଣ୍ଣ ସତ୍ୟର ରୂପ ନେଇଛି ଓ ତାଜୁବ୍‌ କରି ପକାଇଛି ବଲାଙ୍ଗିରବାସୀଙ୍କୁ । ଇଂରାଜୀ ବିଷୟରେ ୯୯ ମାର୍କ ରଖି ପୋଷ୍ଟ ମାଷ୍ଟର ପଦବୀ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ଆଶାୟୀଙ୍କୁ ଗତ ତିନି ଦିନ ତଳେ ସାର୍ଟିଫିକେଟ୍‌ ଭେରିଫିକେସନ୍‌ ସମୟରେ ସାମାନ୍ୟ କିଛି ଇଂରାଜୀ ଶବ୍ଦ ଲେଖିବାକୁ କୁହାଯାଇଥିବା ବେଳେ ସେ ଇଂରାଜୀରେ ସଂପୂର୍ଣ୍ଣ ଦୁର୍ବଳ ଥିବା ଜଣାପଡ଼ିଥିଲା । ଏହାପରେ ସାର୍ଟିଫିକେଟ୍‌ ନକଲି ବୋଲି ସଂଦେହ କରି ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଏଭଳି ୟୁପିର ପ୍ରେମନଗର ଝାନ୍‌ସୀ ବି.ଆର୍‌.ଆମ୍ବେଦକର ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍‌ ଆଣିଥିବା ୩୭ ଜଣ ଆଶାୟୀଙ୍କ ସଂପର୍କରେ ବଲାଙ୍ଗିର ଟାଉନ୍‌ ଥାନାକୁ ସୂଚନା ଦେଇଥିଲେ । ତୁରନ୍ତ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ନକଲି ସାର୍ଟିଫିକେଟ୍‌ଧାରୀଙ୍କ ବିରୋଧରେ କେସ୍‌ ରୁଜ୍ଜୁ ହୋଇ ନଥିବା ଯୋଗୁଁ ଡାକ ବିଭାଗରେ ଅସନ୍ତୋଷ ପ୍ରକାଶ ପାଇଥବା ବି ଅନୁମାନ କରାଯାଇଥିଲା । କିନ୍ତୁ ଏସ୍‌ପି ନୀତିନ କୁଶଲକରଙ୍କ ପାଖକୁ ଏହି ମାମଲା ସଂପର୍କରେ ସୂଚନା ପହଂଚିବା କ୍ଷଣି ସେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ନକଲି ସାର୍ଟିଫିକେଟ୍‌ କାରବାରର ମାଷ୍ଟର୍‌ ମାଇଣ୍ଡକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶେଷରେ ଗତକାଲି ଏଭଳି ଜାଲ୍‌ କାରବାରର ମାଷ୍ଟର୍‌ ମାଇଣ୍ଡକୁ କାବୁ କରିବାରେ ସକ୍ଷମ ହୋଇଛି ବଲାଙ୍ଗିର ପୁଲିସ । ସୂଚନା ଅନୁସାରେ ବଲାଙ୍ଗିର ସହରର କଲେଜ ଛକ ମିଶନ ଫିଲ୍‌ଡ଼ ସାମ୍ନାରେ ରହିଥିବା ରିଲାଏନ୍ସ ଏଜୁକେସନ୍‌ ସେଣ୍ଟରର ମୁଖ୍ୟ ମନୋଜ ମିଶ୍ର ଏହି ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ । ସେ ପିଲାଙ୍କଠୁ ପ୍ରଚୂର ଟଙ୍କା ଆଦାୟ କରି ଏଭଳି ଜାଲ୍‌ ସାର୍ଟିଫିକେଟ୍‌ ଯୋଗାଉଥିଲେ ଏବଂ ଏହି ଜାଲ୍‌ ସାର୍ଟିଫିକେଟ୍‌ ବଳରେ ପିଲାମାନେ ଚାକିରି ପାଇଁ ଆବେଦନ କରୁଥିଲେ । ଏହି ମାମଲାରେ ମନୋଜ ମିଶ୍ରଙ୍କ ସହ ଆଲୋକ କୁମାର ଉଦ୍‌ଗାତା ଏବଂ ଅନ୍ୟ ଦୁଇ ଜଣ ସହଯୋଗୀ ମଧ୍ୟ ସାମିଲ୍‌ ରହିଥିବା ବେଳେ ସେମାନଙ୍କ ସହ କିଛି ଜାଲ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏବେ ବଲାଙ୍ଗିର ପୁଲିସ ପକ୍ଷରୁ ରିଲାଏନ୍ସ ଏଜୁକେସନ୍‌ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିବା ବେଳେ ଏଠାରୁ ବହୁ ନକଲି ସାର୍ଟିଫିକେଟ୍‌ ଓ ଏ ସଂକ୍ରାନ୍ତୀୟ ଆପତ୍ତିଜନକ ସାମଗ୍ରୀ ପୋଲିସ ହାତରେ ଲାଗିଛି । ବଲାଙ୍ଗିର ପୁଲିସର ତନାଘନା ତଦନ୍ତରେ ଆହୁରି ଅନେକ ସତ୍ୟ ସାମ୍ନାକୁ ଆସିବ ବୋଲି ବିଶ୍ୱାସ କରାଯାଉଛି । ସବୁଠାରୁ ବଡ଼ କଥା ହେଲା, ଏଭଳି ନକଲି ସାର୍ଟିଫିକେଟ୍‌ ବଳରେ ବଲାଙ୍ଗିର ଡାକ ମଣ୍ଡଳର କେନ୍ଦୁମୁଣ୍ଡି ପୋଷ୍ଟ ଅଫିସ୍‌ରେ ଜଗନ୍ନାଥ ପୋଢ଼, ମରୁଆଁ ପୋଷ୍ଟ ଅଫିସ୍‌ରେ କୋକିଳ ମେହେର, ପାଢେଲ୍‌ ପୋଷ୍ଟ ଅଫିସ୍‌ରେ ପୂଜା ମେହେର ଏବଂ ଘସିଏନ୍‌ ପୋଷ୍ଟ ଅଫିସ୍‌ରେ ରଘୁନାଥ ମେହେର କାର୍ଯ୍ୟରତ ଥିବା ବେଳେ ଜାଲ୍‌ ସାର୍ଟିଫିକେଟ୍‌ର ଖୋଳତାଡ଼ ପରେ ସେମାନେ ସମସ୍ତେ ଫେରାର୍‌ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.