ବଲାଙ୍ଗିର, (କେପିଏନ୍ଏସ୍) : ସାଧାରଣ ମଣିଷର କଥା, ବ୍ୟଥା ଓ ଗାଥା ଏବଂ ସର୍ବୋପରି, ତାର ଜୀବନ ଓ ଅନୁଭୂତିକୁ ନେଇ ମଞ୍ଚସ୍ଥ ହେଉଥିବା ନାଟକ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ସମାଜରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ । ଆଜିକାଲି ମନୋରଞ୍ଜନର ବିଭିନ୍ନ ବିକଳ୍ପ ସହଜରେ ମିଳି ଯାଉଥିବାରୁ ଆମ ପାରମ୍ପରିକ ନାଟ୍ୟକଳା ସମ୍ମୁଖରେ ଏକ ବିରାଟ ଆହ୍ୱାନ ସୃଷ୍ଟି ହୋଇଯାଇଛି । ଯୋଜନାବଦ୍ଧ ଭାବରେ ଏହାର ସାମ୍ନା କରିବା ପାଇଁଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମଞ୍ଚ ନାଟକକୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ସମାଜ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ‘ରଚନା’ ଅନୁଷ୍ଠାନ ଦ୍ଵାରା ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଆୟୋଜିତ “ଆମ ମଞ୍ଚ ନାଟକ : ଆଶା ଓ ଆଶଙ୍କା” ଶୀର୍ଷକ ଆଲୋଚନା ଚକ୍ରରେ ଏଭଳି ମତ ପ୍ରକାଶ ପାଇଛି । ଏଥିରେ ଅତିଥିବକ୍ତା ଭାବରେ ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଥନାପତି, ମଞ୍ଚଶିଳ୍ପୀ ଦତ୍ତାନନ୍ଦ ପଣ୍ଡା ଓ ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼ଃ. ଆରତୀ ତ୍ରିପାଠୀ ଯୋଗଦେଇ ମଞ୍ଚ ନାଟକର ଇତିହାସ, ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ନିର୍ଦ୍ଦେଶକ ଅଶୋକ କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ମଞ୍ଚ ନାଟକକୁ ଆହୁରି ଗରିମାମୟ କରିବା ପାଇଁ ନାଟ୍ୟାନୁଷ୍ଠାନ, ନାଟ୍ୟକାର, ନିର୍ଦ୍ଦେଶକ ଓ କଳାକାରମାନଙ୍କ ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପକ ଜିତେନ୍ଦ୍ରିୟ ତ୍ରିପାଠୀ ଏବଂ ‘ରଚନା’ର ସଭାପତି ସନାତନ ଠାକୁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସହରର ବହୁ ନାଟ୍ୟପ୍ରେମୀ, ମଞ୍ଚ କଳାକାର ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
Prev Post