oom

ବରଗଡ ଜିଲ୍ଲାକୁ ମରୁଡି ପ୍ରପୀଡ଼ିତ ଜିଲ୍ଲା ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସର ଦାବୀ

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିର ବୈଠକ ଆଜି ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା କଂଗେସର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ନିଜ ନିଜ ମଧ୍ୟରେ ଉଚିତ୍ ସମନ୍ଵୟ ରକ୍ଷା କରି ନିଜର ମତ ପାର୍ଥକ୍ୟ ଭୁଲି ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବାକୁ ସଂକଳ୍ପ ନେଇଥିଲେ । ଦଳ ଆଗାମୀ ଦିନରେ କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ଦଳ ପକ୍ଷରୁ ସରକାରଙ୍କ ଠାରେ ଦାବୀ ରଖାଯାଇଛି ଯେ, ବରଗଡ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡିଗ୍ରସ୍ତ ଜିଲ୍ଲା ଭାବରେ ଘୋଷଣା କରାଯାଉ, ଗ୍ରାଉଣ୍ଡ ଜିରୋରୁ ସରକାରୀ ସ୍ତରରେ ଆକଳନ କରି ପ୍ରତ୍ୟେକ ଚାଷୀଙ୍କୁ ଏକର ପିଛା ୩୦ ହଜାର ଟଙ୍କା କରି ମରୁଡି ସହାୟତା ଯୋଗାଇ ଦିଆଯାଉ, ଜିଲ୍ଲାରେ ଥିବା ଉଠା ଜଳସେଚନ ପ୍ରକଳ୍ପର ପଏଣ୍ଟ ଗୁଡ଼ିକୁ ସଜଡ଼ା ଯାଇ ସେଗୁଡିକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ, ୟୁରିଆ ସାରର କଳା ବଜାରୀକୁ ଶୀଘ୍ର ରୋକାଯାଇ ଚାଷୀମାନଙ୍କୁ ସେମାନଙ୍କ ଜରୁରୀ ମୁତାବକ ସାର ସରକାରୀ ପ୍ରକ୍ରିୟା ମାଧ୍ୟମରେ ଯୋଗାଇ ଦିଆଯାଉ, ଧାନର କିଣା ବିକା ପ୍ରକ୍ରିୟା ପାଇଁ ଭୁବନେଶ୍ୱରରେ ନିଷ୍ପତ୍ତି ନ ହୋଇ ଜିଲ୍ଲା କ୍ରୟ କମିଟି ବୈଠକ ପ୍ରକ୍ରିୟା ପୁନଃ ପ୍ରଚଳନ କରାଯାଇ ଏଥିରେ ବିଭାଗୀୟ ଅଧିକାରୀଙ୍କ ସମେତ ଚାଷୀ ପ୍ରତିନିଧି ଓ ଚାଷୀ ସଙ୍ଗଠନ ମାନଙ୍କୁ ସାମିଲ କରାଯାଉ, ବେକାରୀ ସମସ୍ୟା ଓ ଜିଲ୍ଲାରେ ଥିବା ବେସରକାରୀ କଳ କାରଖାନାରେ ସ୍ଥାନୀୟ ନିଯୁକ୍ତି ଦାବୀ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି, ଠିକା କର୍ମଚାରୀଙ୍କୁ ସରକାର ସ୍ଥାୟୀ କରିବା ସହ ଓଡ଼ିଶାରେ ଠିକା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରି ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ବ୍ୟବସ୍ଥାକୁ ଆପଣେଇବାକୁ ଦାବୀ କରାଯାଇଛି, ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗାରେ ହୋଇଥିବା ଦୁର୍ନୀତିର ପ୍ରକୃତ ତଦନ୍ତ କରି, ଏଥିରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ସହ ଜିଲ୍ଲାରେ ବଞ୍ଚିତ ହୋଇଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବାକୁ ଦାବୀ କରାଯାଇଛି । ସେହିପରି ୱାର୍ଡ ଓ ବୁଥ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ୍ କରିବାକୁ ସଂକଳ୍ପ ନିଆଯାଇଥିଲା । ବୈଠକରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୁର୍ବତନ ମନ୍ତ୍ରୀ ରିପୁନାଥ ସେଟ, ପୁର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବରଗଡ ନିର୍ବାଚନ ମଣ୍ଡଳୀରୁ ଗତ ଥର ପ୍ରାର୍ଥୀ ହୋଇଥିବା ନିପନ ଦାଶ, ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଥିବା ଦିଲୀପ ପଣ୍ଡା, ଭଟଲି ନିର୍ବଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ସରୋଜ ମହାପାତ୍ର ପ୍ରମୁଖ ମଞ୍ଚ।ସୀନ ଥିଲେ । ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ସ୍ଵାଗତ କରିବା ସହ ଦଳ ମଧ୍ୟରେ ନିଜ ନିଜ ଭିତରେ ଥିବା ମତ ପାର୍ଥକ୍ୟକୁ ଭୁଲି ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ସାହୁ, ଯୁଗଳ ପ୍ରସାଦ ସିଂ, ସରୋଜ ଷଡ଼ଙ୍ଗୀ, ହରଦୀପ ସିଂ, ଦୟା ସାଗର ମେଣ୍ଡଳୀ, ସତ୍ୟ ନାରାୟଣ ତ୍ରୀପାଠୀ, ରବି ପଣ୍ଡା, ରମେଶ ପଣ୍ଡା, ଆଶିଷ ବେହେରା ପ୍ରମୁଖ ନିଜ ନିଜ ମତ ରଖିଥିଲେ । ଶେଷରେ ପାଣ୍ଡବ କର୍ଣ୍ଣ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଏହି ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କମିଟି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍, ଟାଉନ କଂଗ୍ରେସ କମିଟିର ସଭାପତିମାନଙ୍କ ସମେତ ଜିଲ୍ଲାର ନବ ନିଯୁକ୍ତ କଂଗ୍ରେସ କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.