
ଫୁଲବାଣୀ : ଛତିଶଗଡ ହାର୍ଡକୋର୍ ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍.ପି.ବିନୀତ ଅଗ୍ରୱଲାଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିବାପରେ ଏସ୍.ପି.ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଅଶୋକର ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ବସାଗୁଡା ଥାନା ଅନ୍ତର୍ଗତ ବାଳିପଦା ଗ୍ରାମପଞ୍ଚାୟତର ଦଲା ଗ୍ରାମରେ ତାର ବାପା ପାଣ୍ଡୁ ପୁନେ ଜଣେ ସାଧାରଣ ଚାଷୀ । ଅଶୋକ ଜଣେ ହାର୍ଡକୋର୍ ମାଓବାଦୀ ଭାବେ ପରିଚିତ ଥିଲା ଏବଂ ସେ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା । ଓଡିଶା ଓ ଛତିଶଗଡର ଅନେକ ମାଓ ହିଂସାରେ ସେ ଜଡିତ ଥିବା ସହ କନ୍ଧମାଳରେ ମଧ୍ୟ ଅନେକ ହିଂସା ଘଟାଇଥିବା ଜଣାପଡିଛି । ‘ମାଓବାଦୀଙ୍କ ହିଂସାତ୍ମକ’ ପନ୍ଥା ପ୍ରତି ସେ ବିମୁଖ ହୋଇଯାଇଥିଲା । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ପ୍ରଭାବିତ ହୋଇ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ମନସ୍ଥ କରି ସେ ଆତ୍ମସମର୍ପଣ କରିଥିବା ଅଶୋକ କହିଛି ।