ଫୁଲବାଣୀ : ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଖବରଦାତାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାକୁ ଦୋହଳାଇ ଦେଇଥିବା ବେଳେ ଆଜି ପୁଣି ଜଣେ ନିରୀହ ଗାଈ ଚରାଳୀ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜୀବନ ହରାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କନ୍ଧାମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗାଁ ପାଖରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀମାନେ ଠିକା ସଂସ୍ଥାର ଦୁଇଟି ଜେସିବି ପୋଡ଼ି ଦେଇଥିଲେ । ତେବେ ଆଜି କିଆମୁଣ୍ଡା ଗାଁର ପିଙ୍କୁ କହଁର ନାମକ ୨୨ ବର୍ଷିୟ ଜଣେ ଗାଈ ଚରାଳି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଘଟଣା ସ୍ଥଳରେ ପିଙ୍କୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।