କୋଶଲି ଭାଷାକୁ ଶୀଘ୍ର ସାମ୍ବିଧାନିକ ମାନ୍ୟତା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲି ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ଦେବାରେ ଅଯଥା ବିଳମ୍ବ ଯୋଗୁଁ ପଶ୍ଚିମ ଓଡ଼ିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ନିଜ ମାତୃଭାଷାରେ ଶିକ୍ଷା ପାଇ ପାରୁନାହାନ୍ତି । ଏହାଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ହୋଇପାରୁନାହିଁ । ଅପର ପକ୍ଷରେ ସେହି କାରଣରୁ ପଶ୍ଚିମ ଓଡ଼ିଶାରେ ଅପାଠୁଆ ଏବଂ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ପ୍ରକାଶ ଥାଉ କି, ଏଭଳି ଛାତ୍ରଛାତ୍ରୀ ସଂଖ୍ୟା ଭାରତ ମଧ୍ୟରେ ଓଡ଼ିଶା ରାଜ୍ୟରେ ସର୍ବାଧିକ ଯାହା ଶତକଡ଼ା ୨୭.୨୯% । ଏହା ଖୁବ୍‌ ଉଦ୍‌ବେଗଜନକ । ସେହି ଦୃଷ୍ଟିରୁ ଆଜି କୋଶଳ ଅସ୍ମିତା ରଥ ଯାତ୍ରା ସମୟରେ ବଲାଙ୍ଗିର କଚେରି ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୧ଟା ୩୦ରେ ସମ୍ମାନିତ ଅତିଥି ଓ ବକ୍ତାମାନେ ନିମ୍ନମତେ ଦାବି ଉପସ୍ଥାପିତ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମ ଦାବି ହେଲା, କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦିଆଯାଉ । ଦ୍ୱିତୀୟ ଦାବି ହେଲା, ପ୍ରାଥମିକ ସ୍ତରରେ ପଶ୍ଚିମ ଓଡ଼ିଶାର ଶିଶୁମାନଙ୍କୁ କେନ୍ଦ୍ର ସରକାରଙ୍କ ୨୦୨୦ ଶିକ୍ଷାନୀତି ମତେ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯାଉ । ତୃତୀୟ ଦାବୀ ହେଲା, କୋଶଲି ଭାଷାକୁ ଓଡ଼ିଶାର ଦ୍ୱିତୀୟ ସରକାର ଭାଷା ଭାବେ ଗ୍ରହଣ କରାଯାଉ । ଚତୁର୍ଥ ଦାବି ହେଲା, ପଶ୍ଚିମ ଓଡ଼ିଶାର ଉଚ୍ଚ ସାଂସ୍କୃତିକ ପରମ୍ପରା ସମ୍ପନ୍ନ ବରୁଆ ତତ୍ୱଯୁକ୍ତ ଗ୍ରାମୀଣ ଯାନିଯାତ୍ରା, ଯାହା ଯୋଗତତ୍ୱ ବିଶିଷ୍ଟ ତାହାର ସୁରକ୍ଷା ଓ ସମୃଦ୍ଧି କରାଯାଉ । ଆଗାମୀ ଜନଗଣନା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇଭଉଣୀ ନିଜ ମାତୃଭାଷା କୋଶଲି ବୋଲି କହିବାକୁ ବକ୍ତାମାନେ ନିବେଦନ କରିଥିଳେ । ଏହି ସଭାରେ କୋଶଲ ସାଂହିତ ସଂସ୍କୃତି ଏକାଡେ଼ମୀର ସାଧାରଣ ସଂପାଦକ ବରିଷ୍ଠ ଏଡ଼୍‌ଭୋକେଟ୍‌ ତଥା ସାମ୍ବାଦିକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଡ.ଘାସିରାମ ମିଶ୍ର ଏବଂ ସାଧାରଣ ସଂପାଦକ ମନରଂଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏକାଡେ଼ମୀର ସାଂସ୍କୃତିକ ସଂପାଦକ ଚଳଚ୍ଚିତ୍ର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ଏବଂ ଯୁଗ୍ମ ସଂପାଦକ ଭାଷାବିତ୍‌ ସାକେତ ଶ୍ରୀଭୂଷଣ ସାହୁ ସଭାର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଠାରେ ମାଁ କୋଶଳେଶ୍ୱରୀଙ୍କ ପୂଜା ଅର୍ଚ୍ଚନା ପରେ କୋଶଳ ଅସ୍ମିତା ରଥ ଯାତ୍ରା ଆରମ୍ଭ ହୋଇଥିଲା । ଏହି ରଥ ଯାତ୍ରା ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ମଧ ଦେଇ ଶେଷରେ ଏକଦା କୋଶଳ ସାମ୍ରାଜ୍ୟର ରାଜଧାନୀ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟନାଥ ଗ୍ରାମରେ ଥିବା କୋଶଳେଶ୍ୱର ମନ୍ଦିର ଠାରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.