jayashree

ଆଧୁନିକ ଗଳ୍ପରେ ନବ ରୂପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା : କଂଟାବାଞ୍ଜି ମହାବିଦ୍ୟାଳୟ ପକ୍ଷରୁ ମନୋଜ କୁମାର ପଣ୍ଡାଙ୍କ ଜୀବନ ଓ ସର୍ଜ୍ଜନ ବିଷୟରେ ଆଲୋଚନା ସଭା

କଂଟାବାଞ୍ଜି, (କେପିଏନ୍‌ଏସ୍‌) : ଆଧୁନିକ ଗଳ୍ପରେ ନବରୁପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା ମନୋଜ ପଣ୍ଡା ଓଡିଆ ଗଳ୍ପ ଜଗତରେ ଏକ ଅପୂର୍ବ ଶିହରଣ ସୃଷ୍ଟି କରିଥିଲେ । ତାଙ୍କର ଗଳ୍ପଗୁଡିକ ଥିଲା କାରୁକାର୍ଯ୍ୟ ଭରା । ସୁଚନା ଯୋଗ୍ୟ ଯେ, ସ୍ନତକୋତ୍ତର ଓଡିଆ ବିଭାଗ କଂଟାବାଞ୍ଜି ମହାବିଦ୍ୟାଳୟ ପକ୍ଷରୁ ବିଶିଷ୍ଠ ଗାଳ୍ପିକ ଦିବଙ୍ଗତ ମନୋଜ କୁମାର ପଣ୍ଡାଙ୍କ ଜୀବନ ଓ ସର୍ଜ୍ଜନ ବିଷୟ ଉପରେ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସଂଯୋଜନାରେ ଏବଂ ବିଭାଗୀୟ ମୁଖ୍ୟ ଡ. ସଂଜୟ ମିଶ୍ରଙ୍କ ଅବାହନା କ୍ରମେ ଆୟୋଜିତ ଏହି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗିରର ସୁପୁତ୍ର ତଥା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ପଣ୍ଡା । ଅତିଥି ଭାବେ ଯୋଗ ଦେଇଥିଲେ ଭୀମ ଭୋଇ ଚେୟାର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ସନ୍ତୋଷ କୁମାର ରଥ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗ ପ୍ରଫେସର ଡ. ମଣିନ୍ଦ୍ର କୁମାର ମେହେର ଏବଂ ଆଲୋଚକ ଭାବେ ଯୋଗ ଦେଇଥିଲେ ବରପାଲି ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ମନୋଜ ପଣ୍ଡାଙ୍କ ଗଳ୍ପ ଉପରେ ଗବେଷଣା କରି ନିବନ୍ଧ ପ୍ରସ୍ତୁତ କରିଥିବା ଗବେଷକ ବିଶ୍ୱନାଥ ସାହୁ । ଅତିଥି ଡ. ରଥ ତାଙ୍କ ବକ୍ତବ୍ୟରେ ମନୋଜଙ୍କ ଆଦର୍ଶ ଓ ଆବେଗରୁ ଦୂରରେ ରହି ଗଳ୍ପ ଲେଖୁଥିଲେ ଏବଂ ମନେ କରୁଥିଲେ ଗଳ୍ପ ହେଉଛି ଭାଷାର ଶୈଳୀର ଏବଂ ଘଟଣାର ଏକ କାରୁକାର୍ଯ୍ୟ, ଡ. ମେହେର ତାଙ୍କ ବକ୍ତବ୍ୟରେ ମନୋଜ ପଣ୍ଡାଙ୍କ ଗଳ୍ପ ଆଧୂନିକ ଓଡିଆ ଗଳ୍ପ ଜଗତର ଏକ ଏକ ବିରଳ କୃତି ବୋଲି ବର୍ଣ୍ଣନା କରିଥିଲେ । ଗବେଷକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ମନୋଜ ପଣ୍ଡା ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ ଶୈଳୀ ସମ୍ରାଟ ଏବଂ ତାଙ୍କ ଗଳ୍ପ ଗୁଡିକ ପୃଥିବୀର ବିଭିନ୍ନ ଭାଷାର ଗଳ୍ପଗୁଡିକ ସହ ସମକକ୍ଷ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କାଳିଦାସ ମିଶ୍ର, ହୃଷିକେଶ ପୁଜାରୀ, ସୁବାଷ ପଣ୍ଡା ପ୍ରମୁଖ ମନୋଜ ପଣ୍ଡାଙ୍କ ଗଳ୍ପ ଲିଖନ ଶୈଳୀର ବର୍ଣ୍ଣନା ସହ ଦେଶ ବିଦେଶରେ ତାହାର କିଭଳି ଆଦୃତି ରହିଛି ତାହା ବର୍ଣ୍ଣନା କରିଥିଲେ ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ପଣ୍ଡା ୧୯୫୪ ମସିହା ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଦେହାନ୍ତ ୨୦୨୦ ଜୁଲାଇ ୯ ତାରିଖ ଦିନ ହୋଇଥିଲା । ତାଙ୍କର ହାଡ ବଗିଚା, ବର୍ଣ୍ଣ ବଗିଚା ଓ ମାୟା ବଗିଚା ନାମରେ ତିନୋଟି ଗଳ୍ପ ସଂକଳନ ରହିଛି ଏବଂ ୨୦୧୫ ମସିହାରେ ସେ ସମ୍ନାନ ଜନକ ସାରଳା ପୁରସ୍କାରରେ ସମ୍ନାନିତ ହୋଇଥିଲେ । କେଭି ମହାବିଦ୍ୟାଳୟ ପକ୍ଷରୁ ମନୋଜ ପଣ୍ଡାଙ୍କ ଗଳ୍ପକୁ ନେଇ ଆଲୋଚନା କରାଯିବାକୁ ନେଇ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ମନୋଜ ପଣ୍ଡାଙ୍କ ଉପରେ ଅଧିକ ଗବେଷଣା ଓ ଆଲୋଚନା ପାଇଁ ଏ ସଭାରେ ସମସ୍ତ ଛାତ୍ର ଓ ଗବେଷକଙ୍କୁ ଆହ୍ୱାନ ଦିଆଯାଇଥିଲା । ଉକ୍ତ ନବସଂଚାର କାର୍ଯ୍ୟକ୍ରମରେ ଓଡିଶାର କୋଣ ଅନୁକୋଣରୁ ୯୦ରୁ ଅଧିକ ବ୍ୟକ୍ତି ଭାଗ ନେଇଥିଲେ । କେଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଲୋହିତାକ୍ଷ ଯୋସୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.