ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ହେଲା ଇତାରସୀ – ନାଗପୁର ଚତୁର୍ଥ ଲାଇନ, ଔରଙ୍ଗାବାଦ (ଛତ୍ରପତି ସମ୍ଭାଜୀନଗର) ପରଭଣୀ ଦୋହରୀକରଣ, ଆଲୁବାରୀ ରୋଡ୍- ନୂତନ ଜାଲପାଇଗୁରି ତୃତୀୟ ଓ ଚତୁର୍ଥ ଲାଇନ ଏବଂ ଡାଙ୍ଗୋଆପୋଷି ଜାରୋଲି ତୃତୀୟ ଏବଂ ଚତୁର୍ଥ ଲେନ୍ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୧୩ଟି ଜିଲ୍ଲାକୁ ଏହି ୪ଟି ପ୍ରକଳ୍ପ ସଂଯୋଗ କରିବ । ଏହା ଭାରତୀୟ ରେଳବାଇର ବର୍ତ୍ତମାନ ନେଟୱାର୍କକୁ ପ୍ରାୟ ୫୭୪ କିଲୋମିଟର ବୃଦ୍ଧି କରିବ । ଏହା ଗମନାଗମନ ସଂଯୋଗୀକରଣକୁ ବୃଦ୍ଧି କରିବା ସହ ୨୩୦୯ ଗ୍ରାମ ଓ ପ୍ରାୟ ୪୩.୬୦ ଲକ୍ଷ ଜନସଂଖ୍ୟା ଅଞ୍ଚଳକୁ ରେଳ ସଂଯୋଗ ଓ ସେବା ପ୍ରଦାନ କରିବ । ଏହି ରେଳ ପ୍ରକଳ୍ପ ବର୍ଦ୍ଧିତ ଲାଇନ କ୍ଷମତା ଯଥେଷ୍ଟ ବୃଦ୍ଧି କରିବ । ଯାହା ଫଳରେ ଭାରତୀୟ ରେଳବାଇ ପାଇଁ ସେବା ଉନ୍ନତମାନର ହେବ । ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ କରିବା ସହ ଆତ୍ମନିର୍ଭର କରିବ । ଯାହା ସେମାନଙ୍କର ନିଯୁକ୍ତି ଓ ସ୍ୱରୋଜଗାର ସୁଯୋଗକୁ ବୃଦ୍ଧି କରିବ ।
