ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲ୍ପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଇସ୍ରୋର ପରବର୍ତ୍ତୀ ପିଢ଼ି ଉତକ୍ଷେପଣ ଯାନ ପାଇଁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରେ ଉତକ୍ଷେପଣ ଭିତ୍ତିଭୂମି ପ୍ରତିଷ୍ଠା ଉଦ୍ଦେଶ୍ୟରେ ତୃତୀୟ ଲଞ୍ଚ୍ ପ୍ୟାଡ୍ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଶ୍ରୀହରିକୋଟା ଠାରେ ଥିବା ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ପାଇଁ ସହାୟକ ଲଞ୍ଚ୍ ପ୍ୟାଡ୍ ଭାବରେ ଏହାକୁ ଉପଯୋଗ କରାଯିବ । ଏହା ଭବିଷ୍ୟତରେ ଭାରତୀୟ ମାନବ ମହାକାଶ ଉଡ଼ାଣ ଅଭିଯାନର ଉତକ୍ଷେପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ । ଏହି ପ୍ରକଳ୍ପର ଜାତୀୟ ଗୁରୁତ୍ୱ ରହିଛି ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :
ଟିଏଲ୍ପିକୁ ଏଭଳି ଢାଞ୍ଚା ପ୍ରଦାନ କରାଯାଇଛି ଯାହା ଯଥାସମ୍ଭବ ସାର୍ବଜନୀନ ଏବଂ ଅନୁକୂଳ । ଏହା କେବଳ ଏନ୍ଜିଏଲ୍ଭି ନୁହେଁ, ବରଂ ସେମିକ୍ରାୟୋଜେନିକ ପର୍ଯ୍ୟାୟ ସହିତ ଏଲ୍ଭିଏମ୍-୩ ଯାନ ତଥା ଏନ୍ଜିଏଲ୍ଭିର ଉନ୍ନତ ବିନ୍ୟାସ ବା କନଫିଗୁରେସନକୁ ମଧ୍ୟ ସମର୍ଥନ କରିପାରିବ । ପୂର୍ବବର୍ତ୍ତୀ ଲଞ୍ଚ୍ ପ୍ୟାଡ୍ ପ୍ରତିଷ୍ଠା ଏବଂ ବର୍ତ୍ତମାନ ଲଞ୍ଚ୍ କମ୍ପ୍ଲେକ୍ସ ସୁବିଧାଗୁଡ଼ିକୁ ଅନ୍ୟମାନଙ୍କ ଉପଯୋଗ ପାଇଁ ସର୍ବାଧିକ ସୁବିଧା ଦେବାରେ ଇସ୍ରୋର ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଉପଯୋଗ କରି ଶିଳ୍ପ କ୍ଷେତ୍ରର ସର୍ବାଧିକ ଅଂଶଗ୍ରହଣ ଜରିଆରେ ଏହା ସାକାର ହେବ । ୪୮ ମାସ କିମ୍ବା ୪ ବର୍ଷ ମଧ୍ୟରେ ଟିଏଲ୍ପି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି ।
ବ୍ୟୟ ଯୋଜନା
ମୋଟ ପାଣ୍ଠି ଆବଶ୍ୟକତା ହେଉଛି ୩୯୮୪.୮୬ କୋଟି ଟଙ୍କା ଏବଂ ଏଥିରେ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ ।
ହିତାଧିକାରୀଙ୍କ ସଂଖ୍ୟା :
ଏହି ପ୍ରକଳ୍ପ ଭାରତୀୟ ମହାକାଶ ଇକୋସିଷ୍ଟମକୁ ଅଧିକ ମହାକାଶଯାନ ଉତକ୍ଷେପଣ ଏବଂ ମାନବ ମହାକାଶ ଉଡ଼ାଣ ଓ ମହାକାଶ ଅନୁସନ୍ଧାନ ମିଶନ ହାତକୁ ନେବା ପାଇଁ ଜାତୀୟ କ୍ଷମତାକୁ ସକ୍ଷମ କରିବ ।
ପୃଷ୍ଠଭୂମି :
ବର୍ତ୍ତମାନ, ଭାରତୀୟ ମହାକାଶ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦୁଇଟି ଲଞ୍ଚ ପ୍ୟାଡ ଉପରେ ନିର୍ଭରଶୀଳ- ପ୍ରଥମ ଲଞ୍ଚ ପ୍ୟାଡ୍ (ଏଫ୍ଏଲ୍ପି) ଏବଂ ଦ୍ୱିତୀୟ ଲଞ୍ଚ ପ୍ୟାଡ୍ (ଏସ୍ଏଲ୍ପି) । ପିଏସ୍ଏଲ୍ଭି ପାଇଁ ୩୦ ବର୍ଷ ପୂର୍ବେ ଏଫ୍ଏଲ୍ପି ସ୍ଥାପନ କରାଯାଇଥିଲା ଏବଂ ଏହା ପିଏସ୍ଏଲ୍ଭି ଓ ଏସ୍ଏସ୍ଏଲ୍ଭିର ଉତକ୍ଷେପଣ ନିମନ୍ତେ ଏହାର ଉପଯୋଗ ଜାରି ରହିଛି । ଏସ୍ଏଲ୍ପିକୁ ମୁଖ୍ୟତଃ ଜିଏସ୍ଏଲ୍ଭି ଏବଂ ଏଲ୍ଭିଏମ୍ ୩ ପାଇଁ ପ୍ରତିଷ୍ଠା କରାଯାଇଥିଲା ଏବଂ ପିଏସ୍ଏଲ୍ଭି ପାଇଁ ଏହା ଷ୍ଟାଣ୍ଡବାଇ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଏସ୍ଏଲ୍ପି ପ୍ରାୟ ୨୦ ବର୍ଷ ଧରି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ରଯାନ-୩ ମିଶନ ସମେତ ଜାତୀୟ ମିଶନ ଏବଂ ପିଏସ୍ଏଲ୍ଭି/ଏଲ୍ଭିଏମ୍-୩ର କିଛି ବ୍ୟବସାୟିକ ମିଶନକୁ ସକ୍ଷମ କରିବା ଲାଗି ଏହା ଉତକ୍ଷେପଣ କ୍ଷମତାକୁ ବୃଦ୍ଧି କରିଛି । ଗଗନଯାନ ଅଭିଯାନ ପାଇଁ ମାନବ ମାନ୍ୟତା ପ୍ରାପ୍ତ ଏଲ୍ଭିଏମ୍-୩ ଉତକ୍ଷେପଣ ନିମନ୍ତେ ମଧ୍ୟ ଏସ୍ଏଲ୍ପି ପ୍ରସ୍ତୁତ ହେଉଛି ।
୨୦୩୫ ମସିହା ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ (ବିଏଏସ୍) ପ୍ରତିଷ୍ଠା ଏବଂ ୨୦୪୦ ମସିହା ସୁଦ୍ଧା ଭାରତୀୟ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇବା ସମେତ ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ବିସ୍ତାରିତ ଲକ୍ଷ୍ୟ ପାଇଁ ନୂତନ ପ୍ରପଲ୍ସନ ସିଷ୍ଟମ ସହିତ ଏକ ନୂଆ ପିଢ଼ିର ଭାରୀ ଉତକ୍ଷେପଣ ଯାନର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନର ଲଞ୍ଚ ପ୍ୟାଡ ଦ୍ୱାରା ପୂରଣ ହୋଇପାରିବ ନାହିଁ । ଅଧିକ ଭାରୀ ହୋଇଥିବା ପରବର୍ତ୍ତୀ ପିଢ଼ିର ଉତକ୍ଷେପଣ ଯାନଗୁଡିକୁ ଆବଶ୍ୟକତା ପୂରଣ କରିବା ଏବଂ ଏସ୍ଏଲ୍ପି ପାଇଁ ଏକ ଷ୍ଟାଣ୍ଡବାଇ ଭାବରେ ତୃତୀୟ ଲଞ୍ଚ ପ୍ୟାଡର ତ୍ୱରିତ ପ୍ରତିଷ୍ଠା ଅତ୍ୟନ୍ତ ଆବଶ୍ୟକ, ଯାହାଦ୍ୱାରା ଆଗାମୀ ୨୫-୩୦ ବର୍ଷ ଲାଗି ପରିବର୍ତ୍ତିତ ମହାକାଶ ପରିବହନ ଆବଶ୍ୟକତାକୁ ପୂରଣ କରାଯାଇପାରିବ ।