ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ୭୬.୮୩ ଓ ରାଇସଲପଦର ପାଇଁ ୭୧.୨୦ ସର୍ବମୋଟ ୧୪୮ କୋଟି ଟଙ୍କା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିବା ବେଳେ ବରଗଡ଼ ଜିଲ୍ଲା ଚିର ମରୁଡି ପ୍ରପୀଡ଼ିତ ଗାଇସିଲେଟ ଅଞ୍ଚଳର ଅଙ୍ଗ ନଦୀରେ ବୁରୋମୁଣ୍ଡା ଓ ରାଇସଲପଦର ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲାର ବିକାଶ ପ୍ରକ୍ରିୟାରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି ବୋଲି ଗତକାଲି ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନେତାମାନେ ମତପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲାର ଚାଷୀମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲା ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ଉଭୟ ପ୍ରକଳ୍ପ ଦ୍ୱାରା ଏ ଅଂଚଳର ହଜାର ହଜାର ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

error: Content is protected !!