ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀରାମ ମନ୍ଦିର ବାନ୍ଧନଘୋରଠାରେ ପୁଷ୍ୟାଭିଷେକ ଉତ୍ସବ ଶ୍ରୀରାମ ମନ୍ଦିର ପରିଚାଳନା କମିଟି, ଶ୍ରୀରାମ ସେବା ସମିତି ଓ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାମ ସଂକୀର୍ତ୍ତନ ସହ ରାଜ୍ୟାଭିଷେକ ହୋମ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ଶ୍ରୀରାମ, ମାତା ସୀତା ଓ ବୀର ଲକ୍ଷ୍ମଣଙ୍କର ଚଳନ୍ତି ପ୍ରତିମାଙ୍କୁ ଭରତ ଚରିତ୍ରରେ ଅଭିନୟ କରୁଥିବା ସୁବଳ ଚନ୍ଦ୍ର ଗୁରହାଣ୍ଡି ସ୍ୱାଗତ କରି ପୂଜାର୍ଚ୍ଚନା କରିଥିଲେ । ସୁସଜ୍ଜିତ ରଥରେ ଚଳନ୍ତି ପ୍ରତିମାମାନଙ୍କୁ ନଗର ପରିକ୍ରମା କରାଯାଇଥିଲା । ଗ୍ରାମର ସମସ୍ତ ଘରେ ପ୍ରଭୁଙ୍କୁ ପୂଜା କରିବା ସହିତ ରଥ ଟାଣି ଥିଲେ । ଶ୍ରୀରାମ ମନ୍ଦିର ନିର୍ମାଣ ହେବା ପରେ ଏହା ଥିଲା ପଂଚମ ପୁଷ୍ୟାଭିଷେକ ଉତ୍ସବ । ଶେଷରେ ରଥ ମନ୍ଦିରରେ ପହଞ୍ଚିବା ପରେ ହୋମ ହୋଇଥିଲା । ଏହା ପରେ ରାଜ୍ୟାଭିଷେକ ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ କରାଯାଇଥିଲା । ନଗର ପରିକ୍ରମାରେ ଢେଙ୍କାନାଳର ରାଧାକୃଷ୍ଣ ଲଉଡି ନୃତ୍ୟ, କୁତୁର୍ଲା ଗଣ୍ଡା ବଜା ଦଳ ଓ ଶ୍ରୀରାମ ମନ୍ଦିର ମହିଳା ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ମନ୍ମୟ ଆନନ୍ଦ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅଚ୍ୟୁତାନନ୍ଦ ମିଶ୍ର, ଚିଙ୍କୁ ପ୍ରଧାନ, ସତ୍ୟନାରାୟଣ ଗହୀର, ଘୁଣ୍ଡୁ ପ୍ରଧାନ, ସୁରେଶ ବୁଡେକ, ଭ୍ରମର ଛନ୍ଦ ଓ ଅନାଦି ମାଝି ପ୍ରମୁଖ ତଥା ଆଖପାଖର ଗ୍ରାମବାସୀମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଗତ ପାଞ୍ଚ ବର୍ଷ ହେଲା ପୌଷ ପୂର୍ଣ୍ଣିମା ଦିନ ସମସ୍ତ ଗ୍ରାମବାସୀ ଆମିଷ ବର୍ଜନ ପୂର୍ବକ ରଥ ଟାଣିଥାନ୍ତି ।