୫୬ କୁଇଣ୍ଟାଲ ମାଣ୍ତିଆ ହଡପ : ମାଣ୍ତିଆ ପାଇନାହାନ୍ତି ହିତାଧିକାରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମାଣ୍ତିଆ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ହେଲେ ଦିନକୁ ଦିନ ତାର ଗୁମର ଖୋଲିବାରେ ଲାଗିଛି । ଚଟିଆଗୁଡା ପଞ୍ଚାୟତରେ ୨୦୨୩ରୁ ମାଣ୍ତିଆ ବଣ୍ଟନରେ ଅନିୟମିତତା କରି ପ୍ରାୟ ୫୬ କୁଇଣ୍ଟାଲ ମାଣ୍ତିଆ ହଡପ୍ କରାଯାଇଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ହିତାଧିକାରୀ ମାଣ୍ତିଆ ପାଇନଥିବା ବେଳେ ଏନେଇ ଗତ ଫେବୃଆରୀ ୨୫ ତାରିଖ ଦିନ ପଞ୍ଚାୟତ ଅଭିଯୋଗ ଶୁଣାଣି ଶିବିରରେ ସ୍ଥାନୀୟ ହିତାଧିକାରୀ ଅଭିଯୋଗ କରିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ଗତ ଡିସେମ୍ବର ୨୦୨୩ ମସିହାରେ ଚଟିଆଗୁଡା ପଞ୍ଚାୟତକୁ ମାଣ୍ତିଆ ବଣ୍ଟନ ନିମନ୍ତେ ମାଣ୍ତିଆ ଆସିଥିଲା । ସେବେଠାରୁ ଏହି ପଞ୍ଚାୟତକୁ ମାଣ୍ତିଆ ଆସୁନଥିବା ବେଳେ ପଞ୍ଚାୟତର ରାସନକାର୍ଡ ହିତାଧିକାରୀ ମାଣ୍ତିଆ ପାଇବାରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି । ସିନାପାଲି ବ୍ଲକରେ ବିଗତ ବର୍ଷରେ ସର୍ବଶ୍ରେଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପୁରସ୍କୃତ ହୋଇଥିବା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଚଟିଆଗୁଡା ପଞ୍ଚାୟତରେ ମୋଟ ୮୬୫ କାର୍ଡ ରହିଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି । ପଞ୍ଚାୟତ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହେଲାପରେ ସିନାପାଲି ବିଡିଓ ଏହାର ତଦନ୍ତ ଚଲାଇଛନ୍ତି । ଏନେଇ ଚଟିଆଗୁଡା ସରପଞ୍ଚଙ୍କୁ ପଚାରିବାରୁ ଏ ବିଷୟରେ ବିଡିଓଙ୍କୁ ଜଣାଇଛି ବୋଲି କହିଛନ୍ତି । ଜିଲ୍ଲା ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିଭଳି ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ କୁଇଣ୍ଟାଲ କୁଇଣ୍ଟାଲ ମାଣ୍ତିଆ ହଡପ୍ କରାଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ମାଣ୍ତିଆ ଦୁର୍ନିତୀର ପର୍ଦାଫାସ ହେବା ସହ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ କର୍ମଚାରୀଙ୍କ ମୁଖା ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.