କନ୍ୟାକିରଣର ସହଯୋଗରେ ମାନସିକ ରୋଗୀଙ୍କୁ ଆସ୍ଥା ଗୃହ ସୁନ୍ଦରଗଡରେ ଥଇଥାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କନ୍ୟାକିରଣର ସହଯୋଗରେ ମାନସିକ ରୋଗୀଙ୍କୁ ଆସ୍ଥା ଗୃହ ସୁନ୍ଦରଗଡରେ ଥଇଥାନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ ବ୍ଲକ୍ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଡକୁପଡା ଗ୍ରାମର ଦୀର୍ଘ ବର୍ଷର ମାନସିକ ରୋଗୀ ହେମବତି କୁଅଁର୍ ଯିଏକି ତାଙ୍କ ମା’ ଓ ଭାଇ ସହ ବାସ କରୁଥିଲେ । ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ତାଙ୍କୁ ଦେଖାଶୁଣା କରିବାକୁ ଅସୁବିଧା ହେଉଥିଲା ଯେହେତୁ ତାଙ୍କ ମା’ ଜଣେ ବୃଦ୍ଧା ଏବଂ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଭାଇ ଡୁଲା କୁଅଁର୍ । ଡୁଲା କୁଅଁର୍ ତାଙ୍କ ଭଉଣୀଙ୍କୁ ଦେଖାଶୁଣା କରିବା ପାଇଁ ଘରେ ରହିଯାଉଥିଲେ ସେଥିଯୋଗୁଁ ତାଙ୍କ ରୋଜଗାରରେ ବାଧା ସୃଷ୍ଟି ହେଉଥିଲା । ଗତ ରବିବାର ଦିନ ତା.୨୪-୦୪-୨୦୨୨ରେ ପାଟଣାଗଡର ମହିଳା ସମାଜସେବୀ ସଂଗଠନ ‘କନ୍ୟାକିରଣ ଫାଉଣ୍ଡେସନ୍’ ହେମବତିଙ୍କ ଏହି ଖବର ପାଇ ତାଙ୍କ ଘରକୁ ସାହାଯ୍ୟ ସହଯୋଗ ପାଇଁ ଯାଇଥିଲେ । ପରେ ପାଟଣାଗଡ ବିଡିଓ, ବି.ଏସ୍.ଏସ୍.ଓ ଏବଂ ବଲାଙ୍ଗିରର ଡି.ଏସ୍.ଏସ୍.ଓଙ୍କୁ ଏ ବିଷୟରେ ମଧ୍ୟ ଜଣାଇଥିଲେ । କନ୍ୟା କିରଣ ଫାଉଣ୍ଡେସନର ଅନୁରୋଧ ରଖି ଗତ ଗୁରୁବାର ଦିନ ତା.୨୮-୦୪-୨୦୨୨ରେ ବି.ଏସ୍.ଏସ୍.ଓ ଏବଂ ଡି.ଏସ୍.ଏସ୍.ଓଙ୍କ ସହଯୋଗରେ କନ୍ୟାକିରଣ ଫାଉଣ୍ଡେସନ୍‌ର ସଭାନେତ୍ରୀ ସେବିକା ରାଜହଂସ ଏବଂ ଉପ ସଭାନେତ୍ରୀ ଚନ୍ଦ୍ରକାନ୍ତି ସେଠ୍‌ଙ୍କ ନେତୃତ୍ୱରେ ଅନ୍ୟାନ୍ୟ ସଦସ୍ୟା ସନ୍ତୋଷିନି ବିଶି, ନିରୂପମା ଧରୁଆ, ଆଲତୀ ନାଏକ୍, ମଞ୍ଜୁଲତା ବିଶ୍ବାଲ୍, ରେଣୁ ବନଗୁଲା ଏବଂ ରଶ୍ମିତା ଭୋଇଙ୍କ ସହଯୋଗରେ ହେମବତିଙ୍କୁ ସୁନ୍ଦରଗଡ ସ୍ଥିତ ଆସ୍ଥାଗୃହକୁ ନେଇ ଛାଡିଥିଲେ । ଏପରି ସମାଜସେବା କରି ସମସ୍ତ ସଦସ୍ୟା ନିଜକୁ ଧନ୍ୟ ମନେ କରୁଛନ୍ତି, ଆଗକୁ ଆହୁରି ଏମିତି ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ କନ୍ୟାକିରଣ୍ ଫାଉଣ୍ଡେସନ୍‌ର ସଭାନେତ୍ରୀ ସେବିକା ରାଜହଂସ କହଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.