ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ନିର୍ବାଚନର ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକତା କ୍ଳବ୍ ବସ୍ତିରେ ଡିଏଫଓ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରାଯାଉଥିଲା । ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ଡିଏଫଓ ଯଶୋବନ୍ତ ସେଠୀଙ୍କୁ ଭେଟି ତାଙ୍କୁ ଆପତ୍ତି ଓ ଅଭିଯୋଗ କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ, ନିର୍ବାଚନ ପ୍ରକିୟାରେ ରାଜନୈତିକ ଦଳମାନେ ବ୍ୟସ୍ତ ଥିବା ବେଳେ ଏହି ଅମାନବିକ କାର୍ଯ୍ୟକଳାପକୁ ତତ୍କାଳ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଏହି ବସ୍ତି ଗୁଡିକରେ ଅଧିକାଂଶ ଜନଜାତି ଏବଂ ଦଳିତ ସମାଜ ବସବାସ କରୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କି ଯେ, ଏହି ଜନଜାତି ଓ ଦଳିତମାନେ ବିଜେପିକୁ ସମର୍ଥନ କରୁଥିବାରୁ ଶାସକ ଦଳର ଇଙ୍ଗିତରେ ବସ୍ତି ଉଚ୍ଛେଦ କରାଯାଉଛି । ତେଣୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ନକଲେ ଭାରତୀୟ ଜନତା ପାର୍ଟି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଏବଂ ଏହି ଅମାନବିକ ପଦକ୍ଷେପ ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ, ଏଥି ପାଇଁ କତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲା ସଭାନେତ୍ରୀ ସୂଚାଇଛନ୍ତି । ଏହି ପ୍ରତନିଧି ମଣ୍ଡଳୀରେ ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀଙ୍କ ସହିତ ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାଏ, ଅନିଲ ଗୁପ୍ତା, ମୁରଲୀ ଗୌଡ଼, ସନ୍ତୋଷ ବିଶ୍ଵାଳ, କୈଳାଶ ତନ୍ତୀ, ସରୋଜ ନାଗ, ସତ୍ୟଜିତ ବିଶ୍ଵାଳ ସାମିଲ ଥିଲେ ବୋଲି ମୁଖପାତ୍ର ଗଙ୍ଗାଧର ଦାଶ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
Prev Post