ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତ ତିନିଦିନ ତଳେ ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଜଣେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଥମରୁ ହିଁ ଆଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଅଧିକ୍ଷକ ଅରବିନ୍ଦ ମହାକୁରଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ । ମୃତ ଛାତ୍ରଙ୍କ ବାପା ଡୁଙ୍ଗୁରିପାଲି ଥାନା ଚେରୁପାଲି ନିକଟସ୍ଥ ବଡ଼ନୁଆପାଲି ଗାଁର ବିଷ୍ଣୁ ସୁନା ଘଟଣା ଦିନ ଖବର ପାଇ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପୁଅର ସ୍ଵାଭାବିକ ମୃତ୍ୟୁ ହୋଇଛି କହିଥିଲେ ହେଲେ ତାଙ୍କ ପୁଅର ବାମ ପାଖ କାନରେ ରକ୍ତ ଜମାଟ ବାନ୍ଧିଥିବା, ଅଣ୍ଡକୋଷ ଫୁଲିଥିବା, ପିଠି ଓ ଜଂଘରେ ବାଡି ଦ୍ଵାରା ଆଘାତ ଚିହ୍ନ ଥିବା ଜାଣିବା ପରେ ଗତକାଲି ଦିନ ୪ଟା ସମୟରେ ତାଙ୍କ ପୁଅକୁ କେହି ପିଟିପିଟି ହତ୍ୟା କରିଛି ଓ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗତକାଲି ତରଭା ଥାନାରେ ଲିଖିତ ଅଭିଯୋଗ ଦେବାପରେ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା । ତାଙ୍କ ପୁଅ ଆର୍ଯ୍ୟନ ସୁନା (୧୭) ଅନ୍ୟ କାରଣରୁ ନୁହେଁ ବରଂ ତାଙ୍କର କିଛି ଜଣ ସହପାଠୀ ମିଶି ରାତିସାରା ଆର୍ଯ୍ୟନକୁ ବିଭିନ୍ନ ପ୍ରକାରର ଶାରିରୀକ ନିର୍ଯ୍ୟାତନା ଦେବାସହ ମାରପିଟ୍ କରିବା ଦ୍ୱାରା ତାହାର ମୃତ୍ୟୁ ହୋଇଛି । ଏହାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ସେ ଏତଲାରେ ଦର୍ଶାଇଛନ୍ତି । ଏତଲାକୁ ଭିତ୍ତିକରି ଏକ ହତ୍ୟା ମାମଲା ନଂ ୩୫୧/୨୦୨୫ ରୁଜୁ ହୋଇଛି । ତଦନ୍ତ ଭାର ଆଇଆଇସି ଅନିତା କିଡୋ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତକାଲି ୪ଟାରେ ସୁବର୍ଣ୍ଣପୁର ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ତରଭା ଥାନା ସମ୍ମୁଖରେ ଆର୍ଯ୍ୟନଙ୍କ ମୃତ୍ୟୁର ସଠିକ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ମାଧବ କୁମ୍ଭାର, ବ୍ଲକ ସଭାପତି ସୁଶୀଲ ମଲ୍ଲିକ, ପ୍ରକାଶ ହରିପାଲ , ତରଣୀସେନ୍ ବାରିକ, କୋଶଳେଶ୍ୱର ସୁନା, ଲକ୍ଷ୍ମଣ ଭରାସାଗର, ମହେନ୍ଦ୍ର ସୁନା, ସୁବାଷ ସୁନା ପ୍ରମୁଖ ନେତୃତ୍ୱ ନେଇଥିଲେ । ଘଟଣା ସ୍ଥଳକୁ ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚି ଘଟଣାକୁ ତୀକ୍ଷ୍ଣ ନଜର ରଖିଥିବା ବେଳେ ଅଧିକ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି ।
Next Post