ବ୍ରାହ୍ମଣୀଗାଁ ଥାନାର ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ୱାଇଁ ଏକ ୮ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜିତୁ ପ୍ରଧାନ(୨୦)କୁ ୨୦ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି । ଏହାସହ ୧୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, ୨୦୨୨ ଜୁଲାଇ ୧୧ ତାରିଖରେ ନାବାଳିକା ଜଣକ ଘରେ ଏକା ଥିବା ସମୟରେ ଅଭିଯୁକ୍ତ ଘର ଭିତରକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ମା’ କାମରୁ ଘରକୁ ଫେରିବା ପରେ ଝିଅ କାନ୍ଦୁଥିବା ଦେଖିଥିଲେ । ସ୍ଵାମୀ ଫେରିବା ପରେ ଝିଅକୁ ଧରି ସେମାନେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନରେ ଏକ ମାମଲା (୬୦/୨୨) ରୁଜୁ ହୋଇଥିଲା । ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.