ମଶାଲ ସ୍ଥାପନରୁ ଆରମ୍ଭ ହେଲା ଅଷ୍ଟମ ଭୀମପାହାଡ ମହୋତ୍ସବ : ୩ଦିନ ଧରି ଦୁଲୁକିବ ଭୀମଡୁଙ୍ଗୁରି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜିଲ୍ଲା ଦେଓଗାଁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରି ପର୍ୟ୍ୟଟନକ୍ଷେତ୍ରରେ ଆଜିଠାରୁ ଅଷ୍ଟମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଭୀମାବୁଢାଙ୍କୁ ପୂଜାର୍ଚ୍ଚନା ସହିତ ମହିମୁଣ୍ଡାର କନ୍ଧେନବୁଢୀପୀଠ ଓ ଆଠଗାଁରୁ ପୁଡାପାଠ ଦେବୀପୀଠରୁ ଆସିଥିବା ମଶାଲ ସ୍ଥାପନର ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି । ପଶ୍ଚିମଓଡିଶା ଆଦିବାସୀ କଲ୍ୟାଣସଂଘର ଉପଦେଷ୍ଟା ଆଦିବାସୀନେତା ସତ୍ୟନାରାୟଣ ଭୋଇ ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମଶାଲମାନଙ୍କୁ ଗ୍ରହଣକରି ମହୋତ୍ସବସ୍ଥଳିରେ ପୂଜାପାଠ କରି ସ୍ଥାପନ କରିଥିଲେ । ଭୀମାବାବାଙ୍କ ପୂଜକ ହଳଧର କଅଁର ପ୍ରଥମେ ଭୀମାବୁଢାର ପୂଜାର୍ଚ୍ଚନା କରି ସମସ୍ତଙ୍କ ମଥାରେ ସିନ୍ଦୁର ଲଗାଇଥିଲେ ଓ ମହିମୁଣ୍ଡା ଏବଂ ଆଠଗାଁରୁ ଆସିଥିବା ମଶାଲକୁ ପୂଜାକରି ସ୍ୱାଗତ କରିଥିଲେ । ସଂପୂର୍ଣ୍ଣ ଆଦିବାସୀ ପରଂମ୍ପରାରେ ଆଜିର ପୂଜାର୍ଚ୍ଚନା ପରେ ମହୋତ୍ସବର ଆରମ୍ଭ ଘୋଷଣା କରାଯାଇଥିଲା । ମହୋତ୍ସବ କମିଟିର ଉପଦେଷ୍ଟା ପୂର୍ବତନ ବିଡିସିସି ସଭାପତି ଲକ୍ଷ୍ମଣକୁମାର ମେହେର, ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ଅନ୍ୟତମ ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, କୋସଲି ସଂସ୍କୃତିଗବେଷକ ଧରଣୀଧର ନାୟକ, ମହିମୁଣ୍ଡାର ବଣ୍ଟିପ୍ରତାପ ପଧାନ, ଭୋଜରାଜ ରଣା, ମୁଜାଫର ରଣା, ହରିହର ଦେହେରି, ଥବିର ବେହେରା, ଜତିନ ବାରିକ, ସୁଦାମ ପଧାନ, ପିତ ବିଶି, ଦୟା ମହାକୁର, ବିରଞ୍ଚି କଲତା, ବିନୋଦ ନାଏକ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଭୁକଲ୍ୟାଣ ଗଡତ୍ୟା ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ରହି ମଶାଲକୁ ସ୍ୱାଗତ କରିଥିଲେ । ଆଠଗାଁରୁ ସ୍ୱର୍ଗତ ଜମିଦାର ଧରମସିଂ ମାଝୀ ମାନଧାତାଙ୍କ ଆବାସ ଭିତରେ ଥିବା ପୁଡାପାଠ ପୀଠରୁ ସୁଦାମ ଷାଣ୍ଢଙ୍କ ନେତୃତ୍ୱରେ ମଶାଲ ଆସିଥିଲା । ଏହି ଦଳରେ ଆଠଗାଁର ସରପଞ୍ଚ ଶ୍ରୀମତୀ ସାଲିନୀ ସେଠ, ସମିତିସଭ୍ୟା ଅନୀତା ସୁନା, ପପୁନ ବେହେରା, ବିପିନ ଭୋଇଙ୍କ ସମେତ ୧୫ଜଣ ଭକ୍ତ ଆସିଥିଲେ । ସେହିପରି ମହିମୁଣ୍ଡାରି କନ୍ଧେନବୁଢୀ ପୀଠରୁ ଆସିଥିବା ମଶାଲକୁ ମହିମୁଣ୍ଡାର ବଣ୍ଟିପ୍ରତାପ ପଧାନ, ନିଖିଲ ବିଶ୍ୱାଳ, ଟୁକ କର୍ମୀ, ସଂଗ୍ରାମ ସାହୁ, ରଜତ ବିଶ୍ୱାଳ, ଅଶୋକ ବାରିକ ପ୍ରମୁଖ ଆଣିଥିଲେ । ସଂଧ୍ୟାରେ ସଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ଏଠାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତୁଷୁରା ପୋଲିସ ୨ ପ୍ଲାଟୁନ ଫୋର୍ସ ମୁତୟନ କରିଥିଲେ ।

Leave A Reply

Your email address will not be published.