
- କୃଷ୍ଣଙ୍କ ହାତରେ କଂସ ନିହତ
ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟଠାରେ ଗତ ସପ୍ତାହ ଧରି ଚାଲିଥିବା ଖପ୍ରାଖୋଲ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଏଥିସହିତ କଂସଦରବାର ମଧ୍ୟ ଶେଷ ହୋଇଛି । ମା’ ଡୁମେର ତଲେନ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ବର୍ଷ ଖପ୍ରାଖୋଲ ମହୋତ୍ସବ ଗତ ୧୫ ତାରିଖ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କଂସ ଦରବାର ଆୟୋଜିତ ହେବା ସହିତ ଅପେରା, ମୀନାବଜାର, ଦୋକାନ ବଜାର ମହୋତ୍ସବ ସ୍ଥଳରେ ପଡିଥିଲା । ମହୋତ୍ସବକୁ ଦେଖିବାକୁ ପ୍ରବଳ ଭିଡ ଲାଗି ରହିଥିଲା । ଫଳରେ ସାତ ଦିନଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଗୁରୁବାର ସନ୍ଧ୍ୟାରେ କଂସ ମହାରାଜ କୃଷ୍ଣ ବଳରାମଙ୍କୁ ନିଧନ କରିବା ପାଇଁ ପୂର୍ବତନ ମହାମନ୍ତ୍ରୀ ଅକୃରକୁ ଗୋପପୁରକୁ ପ୍ରେରଣ ସହିତ କପଟ ଧନୁଧାତ୍ରା ଆୟୋଜନ ଦୃଶ୍ୟ ଅଭିନିତ ହୋଇଥିଲା । ହେ କୃଷ୍ଣ, ହେ ବଳରାମ ଆସ ମାମୁଁ କଂସାସୁର ତମ ଅପେକ୍ଷାରେ କହି କଂସ କୃଷ୍ଣ ବଳରାମଙ୍କୁ ଡାକିବା ସହିତ କଂସର ଅଟ୍ଟହାସ୍ୟରେ ମହୋତ୍ସବ ସ୍ଥଳ ଦୁଲୁକି ପଡିଥିଲା । ଶେଷରେ କୃଷ୍ଣ ବଳରାମଙ୍କ ଦ୍ୱାରା କଂସ ନିହତ ହୋଇଥିଲେ । କୃଷ୍ଣ, ବଳରାମ ମଂଚ ଉପରକୁ ଆସିବା ବେଳେ ଉପସ୍ଥିତ ମହିଳା ଦର୍ଶକଙ୍କ ହୁଳହୁଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମା’ ଡୁମେର ତଲେନ ଯୁବକ ସଂଘ ଆୟୋଜକ କମିଟିର କର୍ମକର୍ତା ଏବଂ ସଦସ୍ୟମାନେ କଂସ ଦରବାରରେ ଅତିଥି ଭାବେ ଯୋଗ ଦେଇଥିଲେ । କଂସ ଭୂମିକାରେ ନିର୍ମଳ ମେହେର, କୃଷ୍ଣ ଭୂମିକାରେ ଚୈତନ୍ୟ ପଧାନ ଏବଂ ବଳରାମ ଭୂମିକାରେ ଧନଞ୍ଜୟ ବନଛୋରଙ୍କ ଅଭିନୟ ମନମୁଗ୍ଧକର ହୋଇଥିଲା । ଅଧ୍ୟାପକ ବଳଭଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ କଂସ ମହାରାଜାଙ୍କ ସହିତ ସମସ୍ତ କଳାକାରଙ୍କୁ କମିଟି ପକ୍ଷରୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବକୁ ସଫଳତାର ସହିତ ପରିଚାଳନା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନେତ୍ରା ରାଉତ, ନେତ୍ରା ବରିହା, ସୁରୁକୁନୁ ସାହୁ ଦେବାଶିଷ ରାଉତ, ତେଜରାଜ ଦଣ୍ଡସେନା, ସନ୍ତୋଷ ପଧାନ, ଜୟମଙ୍ଗଳ ରାଉତ, କ୍ରିଷ୍ଣାଚରଣ ସାହୁ, ବିରେନ ବରିହା, ହୃଷିକେଶ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବକ ସଂଘର ସଭାପତି ବୁଲୁ ପଣ୍ଡାଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ଶେଷ ହୋଇଥିବା ବେଳେ ଏଥିରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଉପସଭାପତି ଡୋଲାମଣି ଷାଣ୍ଢ, କୋଷାଧ୍ୟକ୍ଷ ରଞ୍ଜନ ସାହୁ, ବାଦଳ ଦଣ୍ଡସେନା, ଅରକ୍ଷିତ ସାହୁ, ବିନୋଦ ସାହୁ, ଦିଲିପ ଗଡତ୍ୟା, ଉଦ୍ଧବ ମେହେର, ରାଜୁ ବାରିକ, ସତ୍ୟ ବାଗ, ରୋହିତ ଶଗଡିଆ, ଲକ୍ଷ୍ମୀକାନ୍ତ ଦଣ୍ଡସେନା, ହାକାଦେବ ପଧାନ, ମନୋଜ ଦଣ୍ଡସେନା, ଅନିଲ ପଧାନ, ସୁଶାନ୍ତ ପଧାନ, ଆଶିଷ ଭୋଇ, ହରିବୋଲ ଦାସ, ଠଣସୁନ୍ଦର ସାହୁ, ପୁରନ ସାହୁ, ଜଗଦିଶ ରାଉତ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।