jayashree

ମେଣ୍ଡାରେ ବାରପାହାଡ ମହୋତ୍ସବ ଓ କଂସ ଦରବାର

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରୀବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା, ଦେଉଳପଦର, ପାଇକବାହାଲ ପଞ୍ଚାୟତର ଉତ୍ସାହି ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଛି । ମହୋତ୍ସବ ଅବସରରେ ମୀନାବଜାର ଲାଗିଛି । ଫଳରେ ହଜାର ହଜାର ଦର୍ଶକ ଏଠାରେ ସମ୍ମିଳିତ ହେଉଛନ୍ତି । ମେଣ୍ଡା ଗଡତୀ ଅଞ୍ଚଳର ଇଷ୍ଟଦେବୀ ବାରପାହାଡଙ୍କ ନାମରେ ମହୋତ୍ସବ ନାମକରଣ କରାଯାଇଛି । ମହୋତ୍ସବରେ କଂସ ଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମ ଦିନରେ ତରଭା ଥାନାଧିକାରୀ ସୁବ୍ରତକୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଦ୍ୱିତୀୟ ଦିନରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି କମ୍ପ, ମେଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ମିଶ୍ର, ପାଇକବାହାଲ ସମିତି ସଭ୍ୟ ରାଜକିଶୋର ଭୋଇ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ବାରପାହାଡ ରିଜର୍ଭ ଜଙ୍ଗଲରେ ଥିବା ଦେବୀ ବାରପାହାଡଙ୍କ ପୀଠର ଉନ୍ନତିକରଣ ଓ ପର୍ଯ୍ୟଟନ ସ୍ଥଳି ପାଇଁ ହେଉଥିବା ଦାବୀକୁ ପ୍ରଶାସନ ପଦକ୍ଷେପ ନେବ ବୋଲି କହିଥିଲେ । ଏହା ସହିତ ବିଭିନ୍ନ ସ୍ଥାନରେ ହେଉଥିବା କଂସ ଦରବାର ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତିଫଳିତ କରୁଥିବା ଏକ ସଚେତନତା କାର୍ଯ୍ୟକ୍ରମ ବୋଲି କହିଥିଲେ । କଂଦ ରବାରରେ କଂସ ଭୂମିକାରେ ଥିବା ବଲାଙ୍ଗିର ଜିଲ୍ଲା ଫଟକରା ଗ୍ରାମର ଅନୀଲ ନାଏକ ଓ ତାଙ୍କ ଟିମ୍‌ର ଅଭିନୟ ଖୁବ୍‌ ଉଚ୍ଚକୋଟିର ହେଉଛି, ଯାହାକି ଦର୍ଶକଙ୍କୁ କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ କରୁଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ଓ ଏଥିରେ ପ୍ରଶାସନିକ ଅଧିକାରୀଗଣଙ୍କ ସହିତ ସୋନପୁର ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଂଜନ ପୂଜାହାରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବକୁ ଯୁବନେତା ରାଜେନ୍ଦ୍ର ପଣ୍ଡା, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ସାଗରତଳ ଗୋଠର ରାମଶଙ୍କର ମହାପାତ୍ର, ଗଜେନ୍ଦ୍ର ମେହେର, ମେଣ୍ଡାର ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର, ପାଇକବାହାଲର ଚକ୍ରଧର ସା, ହୃଷିକେଶ ପଣ୍ଡା, ରାଜପାଲିର ମଦନମୋହନ ପଣ୍ଡା, ବ୍ରାହ୍ମଣୀପାଲିର ଭାଗିରଥି ସାହୁ, ରାଜୀବ ପଣ୍ଡା ପ୍ରମୁଖ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.