ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୪ତମ ବାର୍ଷିକ କ୍ରୀଡା ମହୋତ୍ସବ ହୋଇଥିଲା । ଏହି ଉତ୍ସବର ଉଦ୍ଘାଟନୀ ଉତ୍ସବରେ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ନେପୁର ସୁନା ଦୀପ ପ୍ରଜ୍ଜଳନ କରି ଉଦ୍ଘାଟନୀ ଘୋଷଣା କରିଥିଲେ । ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ତତ୍ତ୍ଵାବଧାନରେ କ୍ରୀଡା ପ୍ରତିଯୋଗିତା ସୁପରିଚାଳିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଭାଇଭଉଣୀ ସକ୍ରୀୟ ଭାବେ ଅଂଶ ଗ୍ରହଣ କରିଥିଲେ । ସର୍ବମୋଟ ୨୧ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥିଲା ଓ ୧୩୨ଜଣ ଭାଇଭଉଣୀ ପୁରସ୍କୃତ ହୋଇଥିଲେ । ଏହା ସହିତ ଶିଶୁ ବାଟିକା ବିଭାଗର ଭାଇଭଉଣୀଙ୍କୁ ପ୍ରତିଯୋଗିତା ମନୋଭାବ ନ ନେଇ ପ୍ରତିଭାଗୀ ଭାବରେ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଥିଲା । ସର୍ବଶେଷରେ ସପ୍ତମ ଓ ପଞ୍ଚମ ଶ୍ରେଣୀର ଭଉଣୀ, ଷଷ୍ଠ ଓ ପଞ୍ଚମ ଶ୍ରେଣୀର ଭାଇଙ୍କୁ ଏହି କ୍ରୀଡା ମହୋତ୍ସବରେ ଚମ୍ପିୟାନ ଭାବରେ ଘୋଷଣା କରାଗଲା । ଅନ୍ତିମ ପର୍ଯ୍ୟାୟରେ ସମାରୋପ କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକାର ମୁଖ୍ୟ ଯନ୍ତ୍ରୀ ଡ.ଦୟାନନ୍ଦ ଶର୍ମା ମୁଖ୍ୟ ଅତିଥି ଓ ନବପ୍ରଭାତ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ ଏବଂ ପ୍ରତିଯୋଗିତାର ସମାପ୍ତି ଘୋଷଣା କରିଥିଲେ । ସମସ୍ତ ଭାଇଭଉଣୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ପରିଚାଳନା ସମିତିର ସଂପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।