କଟକ : ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ଯୋଗଦେଇ ସଂସ୍ଥାନର ଅଭିଯାନ୍ତ୍ରିକ ନିର୍ଦ୍ଦେଶକ ଭି.ଏମ୍. ରତ୍ନପ୍ରସାଦ କହିଛନ୍ତି, ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ଓ ସମୃଦ୍ଧ ହେଉଛନ୍ତି । ନାରୀ ସଶକ୍ତୀକରଣ ଅପେକ୍ଷା ଆତ୍ମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି । ଏଥିପାଇଁ ନାରୀମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି ଶ୍ରୀ ରତ୍ନପ୍ରସାଦ କହିଛନ୍ତି । କାର୍ଯ୍ୟକ୍ରମ ପ୍ରମୁଖ ମାନସ ରଞ୍ଜନ ନାୟକ ମଧ୍ୟ ସଶକ୍ତ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଚଳିତବର୍ଷର ଶୀର୍ଷକ ‘ମହିଳା ଓ ବାଳିକାମାନଙ୍କ ପାଇଁ ଅଧିକାର ସମାନତା ଓ ସଶକ୍ତୀକରଣ’ ସମ୍ପର୍କରେ ଉଦ୍ଘୋଷିକା ସଦ୍ୟସ୍ମିତା ବେହେରା ଆଲୋକପାତ କରିଥିଲେ । ଉଦ୍ଘୋଷିକା କର୍ପୂରୀ ମୁର୍ମୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଂଚଳିକ ସମ୍ବାଦ ବିଭାଗର ସମାଚାର ସମ୍ପାଦିକା ଇତିଶ୍ରୀ ସିଂହ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ ।