
- ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡିବିଟି ଜରିଆରେ ପ୍ରଦାନ କରାଗଲା ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି
- ରାଜ୍ୟରେ ଏକ କୋଟିରୁ ଅଧିକ ମହିଳା ଡିବିଟି ଜରିଆରେ ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି
- ମୟୁରଭଞ୍ଜ ଜିଲ୍ଲାରେ ୫, ୯୨, ୭୯୯ଜଣ ମହିଳା ପାଇଲେ ଦ୍ଵିତୀୟ କିସ୍ତି
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବରହମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାରୀ ଶକ୍ତିକୁ ସଶକ୍ତ କରିବା ଉଦେଶ୍ୟରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ଡିବିଟି ଜରିଆରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ବାରିପଦା ସ୍ଥିତ ଛଉ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର କ୍ୟାବିନେଟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, କାନ୍ଦ୍ରା ସୋରେନ ଓ ଜିଲ୍ଲାପାଳ ହେମକାନ୍ତ ସୟ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଆନ୍ତର୍ଜାତୀୟ ଦିବସ ପାଳନ ଇତିହାସର ସ୍ମୃତି ଚାରଣ କରି କହିଥିଲେ କି ଅତୀତରେ ଭାରତରେ ନାରୀ ଶକ୍ତିକୁ ଗୁରତ୍ୱ ଦେଇ ସଶକ୍ତ କରିବାରେ ଯେଉଁ ଅନନ୍ୟ ବ୍ୟକ୍ତିତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେ ହେଉଛନ୍ତି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପାୟୀ ଏବଂ ବତ୍ର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ କରାଯାଇଥିବା ସୁଭଦ୍ରା ଯୋଜନା ମାଧ୍ୟମରେ ନାରୀଶକ୍ତି ଅଧିକ ସଶକ୍ତ ଓ ସମୃଦ୍ଧ ହୋଇଛି । ଆଜି ମୟୁରଭଞ୍ଜ ଜିଲ୍ଲାର ୫, ୯୨, ୭୯୯ଜଣ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ରାଶି ଯାଇଛି । ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଏହି ଯୋଜନା ସମ୍ବନ୍ଧରେ ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇଥିବା ୧୫୦୦ରୁ ଅଧିକ ହିତାଧିକାରୀ, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।