ଦୁବାଇ ଯିବେ ମିଶନ ଶକ୍ତି ମହିଳା ଆରତୀ କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଜଣେ ଏସଏଚଜି ଗ୍ରୁପର ମହିଳା ଦୁବାଇ ଯିବା ପାଇଁ ମନୋନୀତ ହୋଇଛନ୍ତି । ମହିଳା ଜଣକ ମୁରିବାହାଲ ବ୍ଲକର ଜିଲ୍ଲା ଫେଡ଼େରେସନ ସଭାନେତ୍ରୀ ଆରତୀ କରଙ୍କୁ ଦୁବାଇ ଯିବାର ସୁଯୋଗ ମିଳିଛି । ଆରତୀ ପ୍ରଥମେ‌ ମୁରିବାହାଲ ବ୍ଲକରେ ଗାୟତ୍ରୀ ଏସଏଚଜି ଗ୍ରୁପ କରି କିଛି ମହିଳାଙ୍କୁ ନେଇ ବିଭିନ୍ନ ବ୍ୟବସାୟ କରି ଆଗକୁ ବଢ଼ି ଚାଳିଥିଲେ । ପରେ ପରେ ଏସଏଚଜି ଗ୍ରୁପର ଜିଲ୍ଲା ସଭାନେତ୍ରୀ ହେଲେ । ରାଜ୍ୟ ସରକାର ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତିକରଣ କରିବା ପା‌ଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଦୁବାଇ ନେଇ ବିଭିନ୍ନ ବ୍ୟବସାୟ ଉପରେ ତାଲିମ ଦେଇ ଆହୁରି ଅଧିକ ସଶକ୍ତିକରଣ କରିବାକୁ ଯୋଜନା କରିଛନ୍ତି । ଆସନ୍ତା ୧୬ ତାରିଖ ଓଡିଶା ଦିବସରେ ଭୁବନେଶ୍ୱରରୁ ଦୁବାଇକୁ ଫ୍ଲାଇଟ ଉଡାଣର ଶୁଭାରମ୍ଭ କରାଯିବ । ଏହି ଫ୍ଲାଇଟରେ ପ୍ରଥମ ଯାତ୍ରୀ ଭାବରେ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ରାଜ୍ୟର ୧୦ ଜଣ ଏସଏଚଜି ମହିଳା ଦୁବାଇକୁ ଯାତ୍ରା କରିବେ । ଏଥିରେ ବଲାଙ୍ଗିର ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀର ଜିଲ୍ଲା ଫେଡେରେସନ ସଭାନେତ୍ରୀ ଆରତୀ କରଙ୍କୁ ସୁଯୋଗ ମିଳିଛି । ମୁରିବାହାଲ ବ୍ଲକର ଆରତୀଙ୍କୁ ଏହି ସୁଯୋଗ ମିଳିଥିବା ଜଣାପଡିବା ପରେ ଗତକାଲି ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ । ଦୁବାଇ ଯାତ୍ରା କରିବାକୁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆରତୀ । ଦୁବାଇ ଯାଇ ବିଭିନ୍ନ ବ୍ୟବସାୟର ତାଲିମ ନେଇ ଆସି ଜିଲ୍ଲାରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.