- ଡିଜିଟାଲ ମାଧ୍ୟମରେ ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ପଦକ୍ଷେପ ପ୍ରଦର୍ଶନ
ନୂଆଦିଲ୍ଲୀ, (ପିଆଇବି) :୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି । ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ କରାଯାଇଛି । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏହା ଭିତରେ ବୁଲାବୁଲି କରି ସୁଖଦ ଅନୁଭୂତି ନେଇ ଫେରୁଛନ୍ତି । ଆଧୁନିକ ଯାନ୍ତ୍ରିକ କଳା କାରିଗରୀ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ସୂଚନା ପ୍ରଦାନ କରାଯାଇଛି । ଏହି ପ୍ରଦର୍ଶନୀରେ ଗଙ୍ଗାର ଜୀବନ ପ୍ରଦାନକାରୀ ମହତ୍ୱର ଅବତାରଣା କରାଯିବା ସହ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣି ପାରିବାର ସମସ୍ତ ପ୍ରୟାସ କରାଯାଇଛି ।
ମୁଖ୍ୟ ଆକର୍ଷଣ : ଡିଜିଟାଲ ପ୍ରଦର୍ଶନୀ
ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଦର୍ଶନ କରାଯାଉଛି । ସେହିପରି ପ୍ରୟାଗ ପ୍ଲାଟଫର୍ମରେ ଗଙ୍ଗା, ଯମୁନା ନଦୀ ଓ ସେମାନଙ୍କର ଶାଖା ନଦୀ ଉପରେ ବିଭିନ୍ନ ତଥ୍ୟର ସୂଚନା ପ୍ରଦାନ କରାଯାଇଛି । ଏହି ପ୍ଲାଟଫର୍ମରୁ ନଦୀର ଜଳସ୍ତର, ସଫେଇ, ପ୍ରଦୂଷଣ ସମ୍ପର୍କିତ ତଥ୍ୟ ମିଳିପାରୁଛି ।
ଗଙ୍ଗା ସଫେଇ ନେଇ ସରକାରୀ ପଦକ୍ଷେପ
ଏହି ପାଭିଲିୟନରେ ଗଙ୍ଗା ନଦୀର ରିଭର ଫ୍ରଂଟ ଓ କୂଳରେ ରହିଥିବା ସ୍ୱେରେଜ ଟ୍ରିଟମେଂଟ ପ୍ଲାଂଟ ଉପରେ ବିଭିନ୍ନ ସୂଚନା ଦିଆଯାଇଛି । ଯାନ୍ତ୍ରିକ ସହାୟତା ସହ ଭିତ୍ତିଭୂମି ବିକାଶ କରି କିପରି ସରକାର ଓ ଅନ୍ୟାନ୍ୟ ସଂସ୍ଥା ନଦୀ ସଫେଇ ଦିଗରେ ପଦକ୍ଷେପ ନେଇଛନ୍ତି ତାର ଚିତ୍ର ରୂପ ଏହି ପାଭିଲିୟନରେ ସ୍ଥାନିତ କରାଯାଇଛି । ଗଙ୍ଗା ଡଲଫିନ, କଇଁଚ, କୁମ୍ଭୀର, ମାଛ ପରି ବିଭିନ୍ନ ଜୀବଙ୍କର ପ୍ରତିକୃତି ବି ଏଠାରେ ସ୍ଥାନିତ ହୋଇଛି । ଗଙ୍ଗାର ଜୈବ ବିବିଧତା ଓ ସଂରକ୍ଷଣର ମହତ୍ୱ ବୁଝାଉଥିବା ଏହି ପ୍ରଦର୍ଶନୀରୁ ଉଭୟ ଶିଶୁ ଓ ଯୁବ ପିଢି ଅନେକ ଶିକ୍ଷା ଲାଭ କରୁଛନ୍ତି ।
ଏନ୍ବିଟି ରିଡିଂ କର୍ଣ୍ଣର
ନେସନାଲ ବୁକ ଟ୍ରଷ୍ଟ ଅଫ ଇଣ୍ଡିଆ ବା ଏନ୍ବିଟି ପକ୍ଷରୁ ପଢିବା ପାଇଁ ଗୋଟିଏ ଜାଗା ଚିହ୍ନିତ କରାଯାଇଛି । ଏଠାରେ ଗଙ୍ଗା, ମହାକୁମ୍ଭ, ସାମାଜିକ ଯୋଜନା ଉପରେ ବହୁ ଉପାଦେୟ ପୁସ୍ତକ ପୁସ୍ତିକା ରଖାଯାଇଛି । ଗଙ୍ଗା ନଦୀର ସାଂସ୍କୃତିକ ଓ ଐତିହାସିକ ମହତ୍ୱ ସମ୍ପର୍କରେ ଜାଣିବାକୁ ଆଗ୍ରହ ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହି କର୍ଣ୍ଣର ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି ।
ଭାବାବେଗ ସୃଷ୍ଟି କରୁଛି ଗଜାନନଙ୍କ ପ୍ରତିମୂର୍ତ୍ତି
ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ୍ ଫରେଷ୍ଟ ମ୍ୟାନେଜମେଂଟ, ଗଙ୍ଗା ଟାକ୍ସ ଫୋର୍ସ, ଆଇଆଇଟି ଦିଲ୍ଲୀ ପରି ବିଭିନ୍ନ ସଂସ୍ଥା ପକ୍ଷରୁ ଗଙ୍ଗା ସଂରକ୍ଷଣ, ବିଲୁପ୍ତପ୍ରାୟ ଜୀବ, ବର୍ଜ୍ୟବସ୍ତୁ ପରିଚାଳନା ପରି ଅନେକ ପ୍ରସଙ୍ଗରେ ସୂଚନା ଦିଆଯାଉଛି । ଏପ୍ରକାର ପ୍ରଦର୍ଶନୀ ସାଧାରଣ ଜନତାଙ୍କ ଭିତରେ ସଚେତନତା ବୃଦ୍ଧି କରିପାରୁଛି । ଗଙ୍ଗାଙ୍କ ପବିତ୍ରତା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ଏଠାରେ ବି ଏକ ବଡ ଗଣେଶ ପ୍ରତିମୂର୍ତ୍ତି ସ୍ଥାନିତ କରାଯାଇଛି । ଫଳରେ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାଂସ୍କୃତିକ ଓ ଭାବଗତ ସମ୍ପର୍କ ଯୋଡି ହୋଇପାରୁଛି ।
ପାଭିଲିୟନ ପ୍ରମୁଖ ଆକର୍ଷଣୀୟ ସ୍ଥାନ
ଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି, ଇତିହାସ ଓ ଆର୍ଥିକ ଜନ ଜୀବନର ପରିଚାୟକ । ନମାମି ଗଙ୍ଗେ ଅଭିଯାନ ଦ୍ୱାରା ପ୍ରଦର୍ଶିତ ଏହି ପ୍ରଦର୍ଶନୀରୁ ପର୍ଯ୍ୟଟକମାନେ ଏକଥା ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି କୁହାଯାଇଛି । ଗଙ୍ଗାକୁ ସଫା ରଖିବା ସହ ସଂରକ୍ଷଣ କରିବା ପ୍ରତିଟି ନାଗରିକର କତ୍ର୍ତ୍ତବ୍ୟ ବୋଲି କୁହାଯାଇଛି । ଏହି ପାଭିଲିୟନ କେବଳ ଗଙ୍ଗା ନଦୀର ମହତ୍ୱ ଓ ତାତ୍ପର୍ଯ୍ୟକୁ ପ୍ରତିପାଦିତ କରୁନାହିଁ ବରଂ ୨୦୨୫ ମହାକୁମ୍ଭରେ ଏକ ପ୍ରମୁଖ ଆକର୍ଷମର କେନ୍ଦ୍ରସ୍ଥଳରେ ପରିଣତ ହୋଇପାରିଛି ।