ଗଞ୍ଜାମ ଜିଲ୍ଲାରେ ମଦମାଫିଆ, ଖଣିଜ ସମ୍ପଦ, ବାଲି ମାଫିଆ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଦୁର୍ନୀତିକୁ ରୋକାଯିବା – ରାଜସ୍ୱ ମନ୍ତ୍ରୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ବ୍ୟାପକ ମଦମାଫିଆ ଖଣିଜ ସମ୍ପଦ ଏବଂ ବାଲି ମାଫିଆ ପ୍ରସଙ୍ଗକୁ ରାଜସ୍ୱ ବିଭାଗ ପ୍ରାଧାନ୍ୟ ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଦିଗରେ ବିଶେଷ ଭାବରେ ଧ୍ୟାନଦେଇ ଗଞ୍ଜାମ ଜିଲ୍ଲାରେ ଖଣିଜ ସମ୍ପଦ, ଜଙ୍ଗଲ ଜମି ଏବଂ ବାଲି ଦୁର୍ନୀତି କୁ ରୋକାଯିବା ବୋଲି – ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ରାଜସ୍ୱ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଦୁର୍ନୀତି ମୁକ୍ତ ଏବଂ ଏକ ସୁନ୍ଦର ଆଦର୍ଶ ଗଞ୍ଜାମ ଜିଲ୍ଲା ଗଠନ ଦିଗରେ ରାଜ୍ୟ ସରକାର ପରିକଳ୍ପନା କରି ଦୃଢ଼ ପ୍ରୟାସ ଜାରୀ ରଖିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରତିଷ୍ଠିତ ଜାତୀୟ କରଣ କମ୍ପାନୀମାନଙ୍କରେ ଶ୍ରମିକ ନିୟୋଜନରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଉପରେ ରାଜ୍ୟସରକାର ଗୃତୁତ୍ୱାରୋପ କରିଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବିଭାଗ ସମେତ ଧାନ କ୍ରୟ, ଶିଳ୍ପ ଏବଂ ଅନ୍ୟାନ୍ୟ ବିଭାଗର କାର୍ଯ୍ୟକାରିତା ଘେନି ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଦିଗ ପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ ପ୍ରମୋଦ କୁମାର ପୃଷ୍ଟି ସମେତ ଜିଲ୍ଲାର ସମସ୍ତ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ରାଜସ୍ୱ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା କରଣ ନେଇ ଆଲୋଚନା ହୋଇଥିଲା । ଧାନ ସଂଗ୍ରହ ସକାଶେ ୩୬୬ ଗୋଟି ଗୋଟି ଫ୍ୟାକ୍ସ, ୧୧୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଏଭଳି ସମୁଦାୟ ୪୭୮ଗୋଟି ପ୍ୟାକସ୍ ଦ୍ୱାରା ଧାନ ସଂଗ୍ରହ କରାଯିବ । ସମୁଦାୟ ୩୬୧ଟି ମିଲରେ ଧାନ ପ୍ରକ୍ରିୟା କରଣ କରିବାର ବ୍ୟବସ୍ଥା କରାଯାଇଛି । ୧୪୬୫୦୪ ଜଣ ଖରିଫ୍ ଧାନ ବିକ୍ରୟ କରିବା ସକାଶେ ପଞ୍ଜିକରଣ କରିଥିବା ସ୍ଥଳେ ସମସ୍ତ ଚାଷୀଙ୍କର ତଥ୍ୟ ଡିଆରସିଏସ୍/ଏଆରସିଏସ୍ ଦ୍ୱାରା ଯାଞ୍ଚ କାର୍ଯ୍ୟ ଶେଷ ହୋଇଯାଇଛି । ତା.୧୬/ ୧/ ୨୦୨୫ ରିଖ ସୁଦ୍ଧା ୪୩୫ ପ୍ୟାକସ୍ ଦ୍ୱାରା ୪୦୭୯ କୃଷକଙ୍କ ଦ୍ୱାରା ୧୭୩୪୨୪.୪୭ କ୍ୱଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଉଥିବା ଘେନି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅବଗତ କରାଇଥିଲେ । ଚଳିତ ମାସ ୩ ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଦିନିଆ ବର୍ଷା ହୋଇଥିବା ଅଞ୍ଚଳରେ ଚାଷୀମାନଙ୍କର ଧାନର ସ୍ଥିତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଜାଣିବାକୁ ଚାହିଁଥିଲେ । ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ଧାନକ୍ରୟ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଯେଉଁ ଚାଷୀମାନଙ୍କର ଧାନ ଗମିଯାଇଛି ସେଗୁଡିକ ମଧ୍ୟ କ୍ରୟ କରିବା ଦିଗରେ ଚାଷୀଙ୍କ ଠାରେ ସ୍ପଷ୍ଟ କରାନ୍ତୁ ବୋଲି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଅବଗତ କରାଇଥିଲେ । ସରକାର ଚାଷୀମାନଙ୍କୁ ସହାୟତା ଦେବା ସକାଶେ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରି କହିଥିଲେ । ଗଞ୍ଜାମ ଜିଲ୍ଲାରେ ଯଥେଷ୍ଟ ମଣ୍ଡି ନାହିଁ । ଟେଣ୍ଡର ଆହ୍ୱାନ କରି ନୂତନ ମଣ୍ଡି କରାଯିବ । ଆସନ୍ତା ଖରିଫ୍ ବେଳକୁ ମଣ୍ଡି ପ୍ରସ୍ତୁତ ହୋଇଯାଇଥିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ରାଜସ୍ୱ ବିଭାଗର ମ୍ୟୁଟେସନ୍ ଓଏଲଆର୍, ବସୁନ୍ଧରା ଶିକ୍ଷାନୁଷ୍ଠାନ ଗୁଡିକୁ ପଟ୍ଟା ପ୍ରଦାନ, ଜମି ଅଧିଗ୍ରହଣ, ଗ୍ରାମ କଣ୍ଠ ପରମ ଭୋକ, ରାଜସ୍ୱ ଆଦାୟ ଇତ୍ୟାଦି ବ୍ୟତୀତ ତହସିଲ କାର୍ଯ୍ୟାଳୟର ସେବା ତଥା ଷ୍ଟାଫ୍ ସମପର୍କିତ ସମସ୍ୟା ସମାଧାନ ଗୁଡିକ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାର ସମସ୍ତ ତହସିଲରେ ସମୁଦାୟ ୭୦୩ଟି ମ୍ୟୁଟୋସନ୍ ମକଦ୍ଦମା ରୁଜୁ ହୋଇଥିବା ବେଳେ ୬୨୯ ଗୋଟିର ଫଇସଲା ଶେଷ ହୋଇଛି । ବସୁନ୍ଧରା ଯୋଜନାରେ ୮୬୬୭ ଗୋଟି ଆବେଦନ ହସ୍ତଗତ ହୋଇଥିବା ଆବେଦନ ମଧ୍ୟରୁ ୧୬୪୩ ଗୋଟି ହିତାଧିକାରୀଙ୍କ ପଟ୍ଟା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମଧ୍ୟରୁ ୬୫୭ ଜଣଙ୍କର ପଟ୍ଟା ଚଳିତ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବା ସକାଶେ ସ୍ଥିର ହୋଇଯାଇଛି । ଆଦିବାସୀ ଜମିକୁ ଅଣ ଆଦିବାସୀ ଯଦି ଅକ୍ତିଆର କରିଛନ୍ତି ତେବେ କ୍ଷେତ୍ର ପରିଦର୍ଶନ କରି ସେଗୁଡିକ ତଦନ୍ତ କରି ଆଦିବାସୀ ଜମି ଗୁଡିକ ଯେଭଳି ଆଦିବାସୀଙ୍କ ଦଖଲରେ ରହିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ପଟ୍ଟା ପ୍ରଦାନ ଦିଗରେ ଆର୍.ଆଇ. ଅମିନ ଗଣ ତରବରିଆ ଯାଂଚ୍ ନକରି ସଠିକ ସମୟ. ନେଇ ଯାଂଚ୍ କରନ୍ତୁ ବୋଲି କୁହାଯାଇଥିଲା । ହିତାଧିକାରୀଙ୍କ ପରିବାର ବର୍ଗଙ୍କୁ ଦିଆଯାଉଥିବା ସରକାରୀ ଜମି ସେମାନଙ୍କର ଆବଶ୍ୟକତା କରୁଥିବା ଅଞ୍ଚଳରେ ଦିଆଗଲେ ସେମାନେ ପ୍ରକୃତ ଦଖଲ କରି ସେମାନଙ୍କର ଚାହିଦାକୁ ପୂରଣ କରିବେ । ତାହାକୁ ଆକଳନ କରି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜଣାଇଥିଲେ । ଯେଉଁ ସବୁ ଶିଳ୍ପ ପ୍ରତିଷ୍ଠାନକୁ ଶିଳ୍ପ ପ୍ରତିଷ୍ଠା ପାଇଂ ସରକାରୀ ଜାଗା ଦିଆଯାଇଛି, ଯଦି ସେଗୁଡିକ ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି ବା କମ୍ ସ୍ଥାନରେ ଶିଳ୍ପ କରିଛନ୍ତି ଆଉ ଅନେକ ସ୍ଥାନ ବ୍ୟବହାର ହେଉ ନାହିଁ ସେଗୁଡିକୁ ପୁନର୍ବାର ରାଜସ୍ୱ ବିଭାଗର ଦଖଲକୁ ଆଣିବାକୁ କହିଥିଲେ । ସେହିଭଳି ଯେଉଁ ବିଭାଗକୁ ରାଜସ୍ୱ ବିଭାଗର ଜାଗା ଦିଆଯାଇଛି ବ୍ୟବହାର ହେଉନାହିଁ କି ଅଳ୍ପ ବ୍ୟବହାର କରିଛନ୍ତି ବଳକା ଜାଗା ଗୁଡିକ ମଧ୍ୟ ରାଜସ୍ୱ ବିଭାଗ ଫେରାଇ ଆଣନ୍ତୁ ବୋଲି କୁହାଯାଇଛି । ଅନେକ ବିଜ୍ଞାପିତ ଅଞ୍ଚଳରେ ଲୋକଙ୍କ ପଟ୍ଟା ନାହିଁ । ପଟ୍ଟା ନଥିବା ଯୋଗୁଁ ସେମାନେ ଅନେକ ଅସୁବିଧା ଭୋଗୁଛନ୍ତି ସେହି ଅଞ୍ଚଳ ଗୁଡିକରେ ହାଇଟେକ୍ ସର୍ଭେ କରି ମିସ୍ ମ୍ୟାଚ୍ ସମସ୍ୟାର ସମାଧାନ କରି ପଟ୍ଟାଦେବାକୁ ପଦକ୍ଷେପ ଗ୍ରହଣ କରାଯିବ । ଗ୍ରାମ କଣ୍ଠ ପରମ ଭୋକ୍ତ ପଟ୍ଟା ପ୍ରଦାନ ସକାଶେ ଏକ ବର୍ଷ ମଧ୍ୟରେ ସର୍ଭେ କାମ କରିବା ସକାଶେ ମ୍ୟାନ ପାୱାର ବୃଦ୍ଧି କରାଇବେ । ଓଆରଏସ୍ ଏ ଓଏଏସ୍ମାନଙ୍କୁ ଫିଲ୍ଡ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ରାଜସ୍ୱ ବିଭାଗକୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବା ଘେନି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।