ଭୂତିଆରବାହାଲ ସ୍କୁଲ ସମ୍ମୁଖରେ ଦେଶୀ ମଦ କାରବାରକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସତ୍ୱେ ବଦଳୁ ନାହିଁ ପରିସ୍ଥିତି : ସାଧାରଣରେ ଅସନ୍ତୋଷ
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ଗାଁର ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରୟ ହେଉଛି । ଗାଁର ଲୋକମାନେ କହିବା ଅନୁସାରେ ବେଆଇନ ମଦ କାରବାରକୁ ବାରଣ କରୁନାହାନ୍ତି କେବଳ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ରୟକୁ ବାରଣ କରୁଛନ୍ତି । ଏ ସଂକ୍ରାନ୍ତରେ ଭୁତିଆରବାହାଲ ପଞ୍ଚାୟତର ୱାର୍ଡ଼ ସଭ୍ୟ ଚୈତନ୍ୟ ଭୋଇ, ଚିନ୍ତାମଣୀ ମାହାକୁଡ଼, ସୁଶିଲ ପରାଭୂଏ, ଶ୍ୟାମ ଚୌଧୁରୀ, ବୃନ୍ଦାବନ ଦାସ, ରମେଶ ଭୋଇ, ଶଶିକାନ୍ତ ବଗର୍ତ୍ତି ସମେତ ଶତାଧିକ ଜିଳ୍ଲାପାଳଙ୍କୁ ଜଣାଇ ବନ୍ଦ କରିବାକୁ ଦାବୀ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ବିଭିନ୍ନ ଆଳ ଦେଖାଇ ବହୁ ଦିନ ପରେ ଧରପଗଡ଼ କରିଥିଲେ ମଧ୍ୟ ସେହିଦିନ ହିଁ ଛାଡ଼ିଦେଇ ଥିବାରୁ ବେଆଇନ ମଦ କାରବାରକୁ ବାରଣ କରୁଥିବା ଶିକ୍ଷାପ୍ରେମୀ ମନରେ ଆଘାତ ଦେଖାଯାଇଛି । କୁଆଡ଼େ କମ ସଂଖ୍ୟକ ମଦ ଜବତ ହୋଇଥିବା ଆଳ ଦେଖାଇ ଛାଡ଼ିଦେଇଥିଲେ । ଗୋଟିଏ ଶିକ୍ଷାନୁଷ୍ଠାନ ସମ୍ମୁଖରେ ବେଆଇନ ମଦ କାରବାରକୁ ସହଜରେ ଗ୍ରହଣ କରୁନାହାନ୍ତି ଶିକ୍ଷାପ୍ରେମୀ ମାନେ । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ବିଭିନ୍ନ ସମୟରେ କର୍ମଚାରୀ ଅଭାବ ଯୋଗୁଁ ବେଆଇନ ମଦ କାରବାରକୁ ଠିକ୍ ଭାବେ ରୋକାଯାଇ ପାରୁନାହିଁ ବୋଲି କହିଛନ୍ତି । ଦେଓଗାଁ ଟିକ୍ରାପଡ଼ା ପୂର୍ତ୍ତବିଭାଗ ରାସ୍ତା କଡ଼ରେ ଥିବା ସ୍କୁଲ ଓ ପଞ୍ଚାୟତ ସମ୍ମୁଖରେ ସାଇକଲ ରଖି ଗ୍ରାହକମାନେ ଭିଡ଼ କରୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଭୁତିଆରବାହାଲ ଗ୍ରାମବାସୀ ଦାବୀ କରିଛନ୍ତି ।