ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ କୋଠରୀରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ସ୍କୁଲ ମାଲିକଙ୍କ ସମେତ ମଦ ମାଫିଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ସ୍ଥିତ ଫୁଲଝରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଘରୋଇ ସ୍କୁଲ କୋଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ରାଉରକେଲା ଅବକାରୀ ବିଭାଗ । ଏହା ସହ ସ୍କୁଲ ମାଲିକ ସୁରେନ୍ଦ୍ର ବଡଇକ ଓ ନକଲି ମଦ ବ୍ୟବସାୟୀ ପୱନ କୁମାର ମିତ୍ତଳଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ସ୍କୁଲରୁ ୧୦୪ ମଦ ପେଟି ସମେତ ଲେବୁଲ, ଠିପି, ଖାଲି ବୋତଲ ଓ ଗୋଟିଏ କାର ଜବତ କରାଯାଇଛି । ନକଲି ମଦ ପ୍ରସ୍ତୁତ କରିବା ପରେ ରାଉରକେଲା ସହରର ବିଭିନ୍ନ ଢ଼ାବା ଓ ହୋଟେଲକୁ ଏହି ମଦ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ପ୍ରକାଶ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।