om academy

ଲୋକସଭା ବାଚସ୍ପତି ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

jsm
  • ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
  • ରଥଯାତ୍ରା ପାଇଁ ୩୧୫ଟି ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ
  • ନୂଆ ଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା ନୂଆ ଅଧ୍ୟାୟ ସୃଷ୍ଟି କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ କରିବା ଦିଗରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ଓଡ଼ିଶାର ଜନଜାତିଙ୍କ ଉନ୍ନତି ଓ ପ୍ରଗତି ପାଇଁ ସହଯୋଗ କାମନା କରିଥିଲେ । ଜନଜାତିଙ୍କ ଦୀର୍ଘଦିନର ମୌଳିକ ସମସ୍ୟା ଓ ସେଗୁଡିକର ଆଶୁ ସମାଧାନ ଦିଗରେ ଓଡିଶା ସରକାର ବଦ୍ଧ ପରିକର ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦ୍ର ସହ ସହଯୋଗ ଭିତ୍ତିରେ ଓଡିଶା ସରକାର ଜନହିତକର କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାପରେ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଓଡ଼ିଶାରେ ରେଳପଥ ସମ୍ପ୍ରସାରଣ ଓ ଅଧିକ ଅପହଞ୍ଚ ସ୍ଥାନକୁ ରେଳ ସଂଯୋଗ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ରଥଯାତ୍ରା ଅବସରରେ ଓଡ଼ିଶାକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ଏ ବର୍ଷ ରଥଯାତ୍ରାକୁ ୩୧୫ଟି ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା । ଏହା ଗତ ବର୍ଷ ଠାରୁ ବହୁତ୍ ଅଧିକ ଏବଂ ଏହା ଦେଶର ପ୍ରାୟ ସବୁ ଅଞ୍ଚଳକୁ ସଂଯୋଗ କରିବ । ଏହା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ କରାଯିବ । ଏହି ସ୍ୱତନ୍ତ୍ର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ୍ ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପିନ୍ଦର ସିଂ ଯାଦବଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ଉପସ୍ଥାପନ କରିବା ସହ ସଶକ୍ତ ଓ ପ୍ରଗତିଶୀଳ ଓଡିଶା ଗଠନ ଦିଗରେ ଆନ୍ତରିକ ସହଯୋଗ କାମନା କରିଥିଲେ । ସବୁ କେନ୍ଦ୍ରମନ୍ତ୍ରୀ ଗଣ ଓଡ଼ିଶାକୁ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଏକ ନୂଆ ଓଡ଼ିଶା, ଏକ ବିକଶିତ ଓଡିଶା ଗଠନ ଦିଗରେ କେନ୍ଦ୍ରର ସହଯୋଗ ଖୁବ୍ ସହାୟକ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ମୋହନ ଚରଣ ମାଝୀ ହଜାର ହଜାର ଜନସାଧାରଣଙ୍କୁ ସିଧାସଳଖ ଭେଟିବା ଓ ସେମାନଙ୍କ ସମସ୍ୟାକୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ତାଙ୍କୁ ସାଧାରଣ ଲୋକଙ୍କ ନେତା ଭାବେ ପ୍ରସିଦ୍ଧି ଆଣିଦେଇଛି । ତାଙ୍କ ସରକାର ଲୋକଙ୍କ ସରକାର ଭାବରେ ସୁନାମ ମଧ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ତ୍ୱରିତ ବିକାଶ ଦିଗରେ ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସହଭାଗିତା ବୃଦ୍ଧି ପାଇବାର ସମ୍ଭାବନା ଉଜ୍ଜଳ ହୋଇଛି ।

Leave A Reply

Your email address will not be published.