ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମହାନଦୀ ଓ ତେଲ ନଦୀର ପବିତ୍ର ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ କବି ବିରଞ୍ଚି ନାରାୟଣ ଦରୱାନଙ୍କ ନବ ପ୍ରକାଶିତ କବିତା ବହି ‘ସାରା ଆକାଶ ତୁମର’ ର ଲୋକାର୍ପଣ ଉତ୍ସବ ଏକ ମନୋରମ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିର ମାଧୁର୍ଯ୍ୟ ଓ କବିତାର ଆତ୍ମିକତା ମଧ୍ୟରେ ଏହି ସାହିତ୍ୟିକ କାର୍ଯ୍ୟକ୍ରମ ଶ୍ରୋତାଙ୍କୁ ଗଭୀର ଭାବନାରେ ମୁଗ୍ଧ କରିଥିଲା । କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତାକାଶ କବିତା ଆସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୨ ଜଣ କବି ‘ସାରା ଆକାଶ ତୁମର’ କବିତା ସଂଗ୍ରହରୁ ଚୟନିତ କବିତା ଆବୃତ୍ତି କରି ସାହିତ୍ୟ ପ୍ରେମୀଙ୍କୁ ଆନନ୍ଦିତ କରିଥିଲେ । କବିତା ଆବୃତ୍ତିରେ ପ୍ରେମ, ପ୍ରକୃତି, ବିରହ ଓ ଅନ୍ତର୍ନିହିତ ଅନୁଭୂତିର ସ୍ପଷ୍ଟ ପ୍ରତିବିମ୍ବ ଦେଖିବାକୁ ମିଳିଥିଲା । ଉତ୍ସବରେ ନାଟ୍ୟଶ୍ରୀ ଗଦାଧର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତାରେ ପ୍ରେମ, ପ୍ରକୃତି ଓ ଶୂନ୍ୟତା ମଧ୍ୟରେ ଥିବା ପୂର୍ଣ୍ଣତାର ସୂକ୍ଷ୍ମ ଦର୍ଶନ ଦେଖାଯାଏ । ତାଙ୍କ କବିତା ସାଧାରଣ ଜୀବନ ଅନୁଭୂତିକୁ ଦାର୍ଶନିକ ଭାବରେ ପ୍ରକାଶ କରି ପାଠକଙ୍କୁ ଆତ୍ମସନ୍ଧାନର ପଥରେ ନେଇଯାଏ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ନିଆରା ସାରସ୍ୱତ ଆସରରେ କବି ରଞ୍ଜିତା ପଣ୍ଡା, ସସ୍ମିତା ମେହେର, ଆରତୀ ଖମାରୀ, ଶ୍ୟାମ ଓଁ ପ୍ରସାଦ ମିଶ୍ର, ପ୍ରଭୁଦତ୍ତ ରଥ, ଅମ୍ବୁଜ ବିହାରୀ ଶତପଥୀ, ଲକ୍ଷ୍ମୀ ନାରାୟଣ ସାହୁ, ପ୍ରଦ୍ୟୁମ୍ନ ସାହୁ କବିତା ଆବୃତ୍ତି କରିଥିଲେ । କବି ବିରଞ୍ଚି ନାରାୟଣ ଦରୱାନ ନିଜ ସୃଜନ ଜୀବନ ସଂପର୍କରେ କହିଥିବାବେଳେ ସାହିତ୍ୟିକ ଡ. ସୌରଭ ରଞ୍ଜନ ଖମାରୀ ଓ ଡ.ଦେବାଶିଷ ପଣ୍ଡିଆ ସାରା ଆକାଶ ତୁମର କବିତା ବହିର ସମୀକ୍ଷା କରି ସମସାମୟିକ ଓଡ଼ିଆ କାବ୍ୟ ସାହିତ୍ୟକୁ ଏ ବହି ସମୃଦ୍ଧ କରିବ ବୋଲି କହିଥିବାବେଳେ କବିତା ସବୁରେ ସରଳ ଓ ତରଳ ଭାବ ଓ ରାବ ରହିଛି ବୋଲି ସମୀକ୍ଷାତ୍ମକ ଆଲୋଚନା କରିଥିଲେ । ପ୍ରକୃତିର କୋଳରେ ଅନୁଷ୍ଠିତ ଏହି କବିତା ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟିକ ପରିବେଶକୁ ଆହୁରି ସମୃଦ୍ଧ କରିଥିବା ସହ କବିତା ପ୍ରେମୀମାନଙ୍କ ମଧ୍ୟରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥଲା ।