ସମ୍ବଲପୁର, (କେପିଏନ୍ଏସ୍) : ସମ୍ବଲପୁର ସ୍ଥିତ ଓଡିଶା ଲଳିତକଳା ଏକାଡେମୀ, ରିଜିଓନାଲ ଆର୍ଟ ଗ୍ୟାଲେରୀରେ ଆୟୋଜିତ କାଲିଡୋସ୍କୋପ ଶୀର୍ଷକ ଏକକ ଚିତ୍ରକଳା ପ୍ରଦର୍ଶନୀର ଅଂଶବିଶେଷ ଭାବେ ଭେଷଜ ଚିକିତ୍ସକ, ଚିତ୍ରଶିଳ୍ପୀ ତଥା କବି ଡା. ଦୀନବଂଧୁ ସାହୁଙ୍କ ଅଷ୍ଟମ କାବ୍ୟ ଗ୍ରନ୍ଥ ‘ଜୀବନଭୋଗ’ ଗ୍ୟାଲେରୀ ପରିସରସ୍ଥ ମୁକ୍ତାକାଶମଞ୍ଚ ସାହିତ୍ୟାସରରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଡ. ଦ୍ୱାରିକାନାଥ ନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ସାହିତ୍ୟାସରରେ କବି ପ୍ରଦୀପ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ, ନାଟ୍ୟକାର କବି ରାଜୀବ ପାଣି, କବି ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜୋସ୍ନାବିଧୌତ ପ୍ରାକୃତିକ ପରିବେଶରେ ଆୟୋଜିତ ଏହି ଆସରରେ କବି ମୁକ୍ତକଣ୍ଠ ପ୍ରଧାନ, ମନୋଜ ପଣ୍ଡା, ଲକ୍ଷ୍ମୀ ନାରାୟଣ ହୋତା, ସୁଶୀଲ ପାଣିଗ୍ରାହୀ, ମମତା ପ୍ରିୟଦର୍ଶିନୀ ସାହୁ, ସାବିତ୍ରୀ ପୁରୋହିତ, ପ୍ରୀତିନନ୍ଦା ପାଣିଗ୍ରାହୀଙ୍କ ସମେତ ୧୫ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ଦୀନବଂଧୁ ପ୍ରକାଶିତ ପୁସ୍ତକ ସଂପର୍କରେ ଲେଖକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ଉଭୟ କବି ଦୁର୍ଗାପ୍ରସାଦ ପଣ୍ଡା ଏବଂ ରାଜୀବ ପାଣି କବିତା ସଙ୍କଳନ ‘ଜୀବନଭୋଗ’ ଉପରେ ସୁନ୍ଦର ତଥା ଗୁଣାତ୍ମକ ଆଲୋଚନା କରିଥିବା ବେଳେ ସମବେତ ଶତାଧିକ ସାହିତ୍ୟ ପ୍ରେମୀଙ୍କୁ କାର୍ଯ୍ୟକ୍ରମ ପରିଶେଷରେ ସଂକ୍ଷିପ୍ତ ମିମିକ୍ରୀ ପରିବେଷଣ କରି ମନୋରଞ୍ଜନ କରିଥିଲେ । ମଧୁଗନ୍ଧା, ଖଦ୍ୟୋତିକା, ଅନାଭରଣ, ନୀଳନଈ, କଥା କାଦମ୍ବରୀ, ଯୋଗୀଚରିତ, ଏକ ପ୍ରଜାପତିର ମୃତ୍ୟୁ ପରେ କବି ଦୀନବନ୍ଧୁଙ୍କର ଏହି ଅଷ୍ଟମ କାବ୍ୟ ପୁସ୍ତକ ମୁଖ୍ୟତଃ ଜୀବନବାଦୀ କବିତା ଓ ରେଖାଚିତ୍ରର ଯୁଗଳବନ୍ଦୀ । ୪୫୦ଟି ଚିତ୍ର ସମ୍ଭାରକୁ ନେଇ ଆୟୋଜିତ କବିଙ୍କର ୨୦ତମ ଏକକ ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ଟାରୁ ସଂଧ୍ୟା ୭.୩୦ମି. ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ।