
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ମିଳିତ କଳାକାର ମଞ୍ଚ ପକ୍ଷରୁ ବରଗଡ଼ ସ୍ଥିତ ଲୋକକଳା ଭବନ ଠାରେ ଲୋକକଳା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଅଧକ୍ଷ ଚୈତନ୍ୟ ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲୋକକଳା ଗବେଷକ ତଥା ଶିକ୍ଷାବିତ୍ ମୋହନ ସାହୁ ଯୋଗ ଦେଇ ଆମ ଅଞ୍ଚଳ ଲୋକକଳାର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ପଶ୍ଚିମ ଓଡ଼ିଶାରେ ଅନେକ ଲୋକକଳା ଏ ଅଞ୍ଚଳବାସୀଙ୍କ ଜନଜୀବନ ସହ ଜଡ଼ିତ ଅଟେ । ଅନେକ ଲୋକକଳା ଲୁପ୍ତପ୍ରାୟ ହେବାକୁ ବସିଲାଣି । ଏହାକୁ ଆଗାମୀ ପୀଢ଼ି ପାଇଁ ବଞ୍ଚାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସ ମହଲା, ଅଶ୍ୱିନୀ ପଣ୍ଡା, ଶଙ୍କର ପଟ୍ଟନାୟକ, ଭୁବନେଶ୍ୱର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୋଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।