ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି-୨୦୨୧ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୂଲ୍ୟାୟନ ହୋଇ ଚୟନ ହୋଇଥିବା ଶ୍ରେଷ୍ଠଦଳ ରାଜ୍ୟସ୍ତରୀୟ ଲୋକମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେବାର ମହତପୂର୍ଣ୍ଣ ଆଭିମୁଖ୍ୟ ନେଇ ଏବଂ ଗ୍ରାମୀଣ କଳାକାରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ଲୋକକଳା ପରିବେଷଣ ପ୍ରତିଯୋଗିତା ସମାରୋହ । ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଓ ଓଡ଼ିଆଭାଷା ସାହିତ୍ୟ ଓ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାମୂଳକ ପରିବେଷଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କଳାକାର ଗୋଷ୍ଠୀଙ୍କ ଅପୂର୍ବ ସମାଗମ ହୋଇଛି । ପ୍ରଥମ ଦିନରେ ଆଦିପୁରର ବାଘ ଓ ବୃଷଭ ନୃତ୍ୟ, କଣ୍ଢେଇ ନାଚ ଅପେରା, ଦାସକାଠିଆ ପରିବେଷଣ ଖୁବ ପ୍ରଶଂସିତ ହୋଇଥିଲା । ଉଦ୍‌ଘାଟନୀ ଦିବସରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଗଞ୍ଜାମ ଜିଲ୍ଲା କଳାକାର ସଯଘର ଉପସଭାପତି ସନ୍ତୋଷ କୁମାର ପାଢ଼ୀ ଓ ସଂସ୍କୃତି ବିଭାଗର ଅବସରପ୍ରାପ୍ତ ଉପନିର୍ଦେଶକ କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏହି ଦୁଇ ଦିନିଆ ପ୍ରତିଯୋଗିତାର ପରିଚାଳନା କରିଥିଲେ । ଆଜି ଦ୍ୱିତୀୟ ଦିନରେ ରଙ୍ଗମଞ୍ଚରେ ବହୁ ସରଗରମ ହୋଇ ଉଠିଛି । ଏହି ପ୍ରତିଯୋଗିତା ସମାରୋହ ଆଜି ସନ୍ଧ୍ୟାରେ ସମ୍ପନ୍ନ ହେବ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ଲୋକକଳା, ଲୋକସଙ୍ଗୀତ, ଲୋକନୃତ୍ୟ ଯଥା- ଭାରତଲୀଳା, କୃଷ୍ଣଲୀଳା, ରାଧା ପ୍ରେମଲୀଳା, ରାମଲୀଳା, ଘୁଡିକି, ପ୍ରହ୍ଲାଦ-ନାଟକ, ସଖୀନାଚ, ରଣପା, ଚଢ଼େୟାନୃତ୍ୟ, ଦାସକାଠିଆ, ଘୋଡାନାଚ, ବାଘନାଚ, ଘଣ୍ଟମୃଦଙ୍ଗ, ଚାଙ୍ଗୁବାଦ୍ୟ, ବୀଣାକାରନୃତ୍ୟ, ହଳିଆ ଗୀତ, କଣ୍ଢେଇ-ନାଚ(ଅପେରା) ଆଦି ପରିବେଷଣ ହେଉଅଛି । ଏହି ଲୋକକଳା ସଂସ୍କୃତିର ମାଧୂର୍ଯ୍ୟକୁ ଉଜୀବିତ କରିବାର ପ୍ରୟାସ ନେଇ ରାଜ୍ୟ ସଂସ୍କୃତି ବିଭାଗର ଏକ ଅଭିନବ ପ୍ରୟାସ ବୋଲି ଏଠାରେ ସ୍ପଷ୍ଟ କରାଯାଇଛି ।

ପ୍ରଥମ ଦିନରେ ୧୧ଟି ବ୍ଲକର ୨୧ଟି ଭାରତ ଲୀଳା, ଓଷାକୋଠି ନାଚ, ବାଘନାଚ ଭଳି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ । ବୁଧବାର ସନ୍ଧ୍ୟାସୁଦ୍ଧା ସର୍ବମୋଟ ବ୍ରହ୍ମପୁର ବିଏମସି ସହ ୪୬ଟି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲା କଳାକାର ସଙ୍ଘର ଉପସଭାପତି ସନ୍ତୋଷ କୁମାର ପାଢ଼ୀ, ଲୋକନୃତ୍ୟ ଗୁରୁ ନାରାୟଣ ମହାରଣା, ଦାସକାଠିଆ ଗୁରୁ ସୁରେନ୍ଦ୍ର ପାଣିଗ୍ରାହୀ, ରଣପ୍ପା ଓ ଯୋଡିଶଙ୍ଖ ଗୁରୁ ଶରତ ଚନ୍ଦ୍ର ମହାପାତ୍ର, ସଖୀନୃତ୍ୟ ଗୁରୁ କାଳୁ ଚରଣ ସାହୁ ପ୍ରମୁଖ ବିଚାରକ ମଣ୍ଡଳୀ ସକ୍ରୀୟ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା ଓ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ଏହାର ତଦାରଖ କରୁଛନ୍ତି ।

Leave A Reply

Your email address will not be published.