ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀ ପ୍ରାୟୋଜିତ ୩୭ତମ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାଗଣ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ୧୯୭୬ ମସିହାରୁ ଏହି ଲୋକନାଟକ ମହୋତ୍ସବ ଦୀର୍ଘ ୨୫ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ବେଳେ କିଛି ଅସୁବିଧା ବଶତଃ ଏହା ସାମୟିକ ବନ୍ଦ ରହିଥିଲା । ପରେ ୨୦୧୫ ମସିହାଠାରୁ ଏ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିଆସିଛି । ଚଳିତବର୍ଷ ୩୭ତମ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏହି କ୍ରମରେ ୫ ତାରିଖ ଦିନ ରାଉରକେଲାର କଳିଙ୍ଗ କଳା ପରିଷଦର ନାଟକ ମୁକ୍ତି, ୬ ତାରିଖ ଦିନ ରାଉରକେଲାର ସରନା ନବ ଯୁବକ ସଂଘର ନାଟକ ସବୁଜ କ୍ରାନ୍ତି, ୭ ତାରିଖ ଦିନ ରାଉରକେଲାର ପରିଚୟ ତରଫରୁ ନାଟକ ଜାନୁଘଣ୍ଟ, ୮ ତାରିଖ ଦିନ ଭୁବନେଶ୍ଵରର ଉତ୍କଳ ନାଟ୍ୟମ ତରଫରୁ ନାଟକ କର୍ପୋରେଟ ଯନ୍ତା, ୯ ତାରିଖ ଦିନ କଟକର ଥିଏଟର ଅଭିଯାନ ତରଫରୁ ନାଟକ ପୁନଶ୍ଚ ମହାତ୍ମା, ୧୦ ତାରିଖ ଦିନ ଭୁବନେଶ୍ଵରର ପଞ୍ଚଧ୍ୱନୀ ତରଫରୁ ନାଟକ ନମସ୍ୟା ଶ୍ୟାମଳୀ ଓ ୧୧ ତାରିଖ ଦିନ ରାଉରକେଲାର ପ୍ରତିଧ୍ଵନି ତରଫରୁ ପ୍ରଦର୍ଶନୀ ମୂଳକ ନାଟକ ଅତୀତର ଛାଇ ପରିବେଷଣ କରାଯିବା ସହ ଉଦ୍ଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ କରାଯିବ । ଏହି ଅବସରରେ ଚଳିତ ବର୍ଷ ନାଟକ ସହ ସମ୍ପୃକ୍ତି ଗୀତିକାର ଶରତ ଚନ୍ଦ୍ର ଧଳ ଓ ବରିଷ୍ଠ ମଞ୍ଚ ଅଭିନେତ୍ରୀ ସୁଶ୍ରୀ ନନ୍ଦିତା ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯିବ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି ଓ ଅନ୍ୟତମ ଅତିଥି ଭାବେ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ତଥା ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଇଡି ବିଶ୍ଵରଞ୍ଜନ ପଲାଇ ଓ ଅନ୍ୟତମ ଅତିଥି ଭାବେ ସହର ସେବା ପ୍ରଶାସନର ପ୍ରବନ୍ଧକ ବିଜୟ କୁମାର ଯୋଯୋ ଯୋଗ ଦେବା ପାଇଁ ସ୍ୱୀକୃତି ଦେଇଥିବା ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ମହୋତ୍ସବ ପାଇଁ ୨୧ଟି ପାଣ୍ଡୁଲିପି ଆସିଥିବା ବେଳେ ସେଥି ମଧ୍ୟରୁ ୬ଟି ପାଣ୍ଡୁଲିପିକୁ ଚୟନ କରାଯାଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାପତି ଡ଼ଃ ପ୍ରଭାତ ମଲ୍ଲିକ, ଏକତ୍ରର ସଭାପତି ରାଜୀବ ପାଣି, ସଦସ୍ୟ ଅକ୍ଷୟ ସାମଲ, ଉପଦେଷ୍ଟା ଡା. କୃପାସିନ୍ଧୁ ନାୟକ, ବିଜୟ ପାତ୍ର, ଆଲୋକ ବୋଷ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ତଥା ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କେଦାର ପ୍ରଧାନ, ଅକ୍ଷୟ ପଣ୍ଡା, ବଳରାମ ରାଉଳ, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକନାଟକ ମହୋତ୍ସବକୁ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇ ନାଟକ ଗୁଡିକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।
Next Post