ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ଲେଖକ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସମଗ୍ର କୃତିକୁ ନେଇ ଡ. ନଗେନ କୁମାର ଦାସଙ୍କ ଦ୍ୱାରା ସଙ୍କଳିତ ଏବଂ ପ୍ରଗତି ଉତ୍କଳ ସଂଘଦ୍ୱାରା ପ୍ରକାଶିତ ପୁସ୍ତକର ଲୋକାର୍ପଣ ହୋଇଯାଇଛି । ଷାଠିଏ ଦଶକରେ କର୍ମଜୀବୀ ଭାବେ ରାଉରକେଲାରେ ପଦାର୍ପଣ କରିନ୍ତି । ପ୍ରଗତିଶୀଳ ଚିନ୍ତା ସମ୍ପନ୍ନ କିଛି ଯୁବକ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କୃତି ତଥା ଓଡ଼ିଆ ଅସ୍ମିତା ପ୍ରତିଷ୍ଠା ପାଇଁ ସଂଘବଦ୍ଧ ଭାବେ ଅନୁଷ୍ଠାନ ନିର୍ମାଣ କରି ପତ୍ରିକା ପ୍ରକାଶନ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟତମ ସାର୍ଥକ ସାରଥୀ କୃଷ୍ଣ ଚନ୍ଦ୍ର ମିଶ୍ର । ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଲେଖନୀ ଚାଳନା କରି ଶ୍ରୀ ମିଶ୍ର ଅନବରତ ଲେଖିଚାଲନ୍ତି ଗଳ୍ପ, ନାଟକ, ପ୍ରବନ୍ଧ ଓ ଅନୁବାଦ କରନ୍ତି ପୃଥିବୀର ବିଶିଷ୍ଟ ଲେଖକ ମାନଙ୍କ କୃତି ଗୁଡ଼ିକୁ । ସେହି ସାରସ୍ଵତ ପ୍ରଜ୍ଞା ପୁରୁଷ ଶ୍ରୀ ମିଶ୍ରଙ୍କ ସମସ୍ତ ଲେଖା ଗୁଡ଼ିକୁ ଏକତ୍ର କରି ପ୍ରକାଶ ପାଇଛି ‘କୃଷ୍ଣ ଚନ୍ଦ୍ର ମିଶ୍ର ରଚନା ସମଗ୍ର’ । ପ୍ରଗତି ଉତ୍କଳ ସଂଘ ପରିସରରେ ଥିବା ମଧୁମଣ୍ଡପ ପ୍ରେକ୍ଷାଳୟରେ ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ ସମାରୋହକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସିଜିଏମ୍ ଗିରିଜା ଶଙ୍କର ଦାସ ଏବଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ସମାଜ ସେବୀ ବିଜୟ କୁମାର ଉପାଧ୍ୟାୟ ସ୍ୱର୍ଗତ ଶ୍ରୀ ମିଶ୍ରଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଉଦ୍ଘାଟନ କରିଥିଲେ । ସଭାପତି ଡ. ମଲ୍ଲିକବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ ତଥା କୃଷ୍ଣଚନ୍ଦ୍ରଙ୍କ ରଚନା ସମଗ୍ର ପ୍ରକାଶନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୃଷ୍ଣଚନ୍ଦ୍ରଙ୍କ ପୁତ୍ର ଡା.ରଜତ କାନ୍ତି ମିଶ୍ର, ଅଧ୍ୟାପକ ତୁଷାରକାନ୍ତି ମିଶ୍ର ଏବଂ ମିହିର ମିଶ୍ର, ପୁତ୍ରବଧୂ ଡାକ୍ତର ଅପରାଜିତା ମିଶ୍ର, ସତ୍ୟବତୀ ମିଶ୍ର ଏବଂ ପଦ୍ମାବତୀ ମିଶ୍ର, ନାତୁଣୀ ଗାର୍ଗୀ ଏବଂ ମୈତ୍ରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଡ. ନଗେନ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ । ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଲକ୍ଷ୍ମଣ ନାଥ ଦାସ, ଅଶୋକ କୁମାର ପଟ୍ଟନାୟକ, ସ୍ମିତା ମିଶ୍ର, ରଶ୍ମି ସାହୁ, ଧରଣୀଧର ସାମଲ, ପ୍ରସନ୍ନ କୁମାର ମହାନ୍ତି, ଅରବିନ୍ଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଶୁଭ୍ରାଂଶୁ ଶେଖର ମହାପାତ୍ର, ବରୁଣ ନାହାକ, ସତ୍ୟନାରାୟଣ ଦାଶ, ନିର୍ମଳ ଚନ୍ଦ୍ର ଦାସ ପ୍ରମୁଖ ସହାୟତା କରିଥିବା ବେଳେ ଡଃ କୃପାସିନ୍ଧୁ ନାୟକ,ଚାରୁଲତା ମଲ୍ଲିକ, ବିଜୟିନୀ ଜେନା, ଅକ୍ଷୟ କୁମାର ସାମଲ,ଚିତ୍ତରଞ୍ଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଜେନା, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରଶାନ୍ତ କୁମାର ପତି, ଅଙ୍ଗୁରବାଳା ପରିଡ଼ା, ସୁସ୍ମିତା ମହାପାତ୍ର , ଉର୍ବଶୀ ଦାସ ପତି ପ୍ରମୁଖ ଶତାଧିକ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ ।