centurian jitm

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ -୨୦୨୫ ପାଳିତ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପବିତ୍ର ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷି ତୃତୀୟା ଅମୃତ ବେଳାରେ ଆମ ରାଜ୍ୟର ଚାଷୀ ଭାଇ ମାନେ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ୱର ଓ ୟୁ ଏ ଟି ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀକୁଳର ଶୁଭମନାସୀ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ସମୃଦ୍ଧ କୃଷକ, ବିକଶିତ ଓଡିଶା ଗଠନ ପାଇଁ ଏକ ଅଭିନବ ପଦକ୍ଷେପ ସ୍ୱରୂପ ଆଜି ମୁଖ୍ୟମନ୍ତ୍ରୀ ଚାଷୀଭାଇ ମାନଙ୍କୁ ବିଶେଷ ଉପହାର ଭାବେ ରାଜ୍ୟର ୫୦ ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରଙ୍କୁ ୨୦୨୫-୨୬ ଖରିଫ ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ସି ଏମ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି । ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ୧ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ପବିତ୍ର ଅବସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଧାୟକ, ସାରସକଣା ଭାଦବ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସୟ, କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ ଯୋଗଦେଇ ମହାଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା ପୂର୍ବକ ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟର ପ୍ରଥମ ସୋପାନ ଅକ୍ଷିମୁଠିର ଶୁଭ ଅନୁକୁଳ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ଚାଷୀକୁଳଙ୍କୁ ଶୁଭମନାସି ଏବର୍ଷ ଆମ ଜିଲ୍ଲାର ଚାଷୀମାନେ ଯେମିତି ଅଧିକ ଅମଳ କରନ୍ତୁ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଆହୁରି ଉନ୍ନତ ହେଉ ବୋଲି ମାଁଲକ୍ଷ୍ମୀଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପ୍ରତି ବର୍ଷ ଭଳି ସରକାରଙ୍କ ଯୋଜନା ଅନ୍ତର୍ଗତ ଯାହା ଯାହା ସୁବିଧା ସୁଯୋଗ ଚାଷୀ ମାନଙ୍କୁ ଚାଷ ସମୟରେ ଯୋଗାଇ ଦିଆଯାଇଥାଏ କିମ୍ବା ଏବର୍ଷ ଯଦି କିଛି ନୂତନ ଯୋଜନା ଚାଷୀ ମାନଙ୍କ ପାଇଁ ଆସିବ ତେବେ ନିୟମ ଅନୁଯାୟୀ ସେସବୁ ସୁବିଧା ସୁଯୋଗ ଓ ସହାୟତା ଚାଷୀ ମାନଙ୍କୁ ସ୍ୱଚ୍ଛତା ଆଧାର ରେ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଯଦି କୌଣସି କ୍ଷେତ୍ରରେ ଚାଷୀ ମାନେ ଚାଷ ସମ୍ଭନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ତାଙ୍କ ଅଂଚଳର କ୍ଷେତ୍ର କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ କରିପାରିବେ ଏବଂ ଅତ୍ୟାବଶ୍ୟକ ପରିସ୍ଥିତିରେ ଚାଷୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ । ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଅମଳ ପାଇବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀ ଭାଇ ମାନଙ୍କୁ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି । ତେଣୁ ଏହାର ସୁଯୋଗ ନେବାପାଇଁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, ମିଲେଟ ଜାତୀୟ ଶସ୍ୟର ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୁଶଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ସିଡିଭିଓ ଡ଼ା. କଳ୍ପତରୁ ସ୍ୱାଇଁ, ଡେପୁଟି ଡାଇରେକ୍ଟର ଉଦ୍ୟାନ କୃଷି ଟଙ୍କଧର କାଲୋ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ପଦାଧିକାରୀ, ବିଭିନ୍ନ ବର୍ଗର ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ଅଧିକାରୀ ମଧୁସ୍ମିତା ଜେନା, ରମ୍ୟ ରଞ୍ଜନ ମହାନ୍ତି, ଅର୍ଚ୍ଚନା ବାଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବିଭାଗୀୟ କର୍ମଚାରୀ ସମୂହ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.