
ବଲାଙ୍ଗିର, (କେପିଏନ୍ଏସ୍) : କୃଷି ଉତ୍ପାଦର ଅଭାବୀ ବିକ୍ରି ତଥା ଉପଯୁକ୍ତ ବଜାରୀକରଣର ଅଭାବରୁ ଚାଷୀଙ୍କ ଆୟବୃଦ୍ଧି ଯୋଜନା ମୁତାବକ ହୋଇପାରୁନାହିଁ, ଯଦ୍ୱାରା ଚାଷୀକୁ ବହୁତ କ୍ଷତି ସହିବାକୁ ପଡୁଛି । ସରକାରଙ୍କ ସମସ୍ତ ବିଭାଗ ତଥା ଯୋଜନାର ସମନ୍ଵୟରେ ଏବଂ ଉପଯୁକ୍ତ ବଜାରୀକରଣ ବ୍ୟବସ୍ଥା ଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ। ସ୍ଥାନୀୟ ଜଳଛାୟା ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ କେନ୍ଦ୍ରୀୟ ବିଭାଗ ଯୋଜନା ଓ ନାବାର୍ଡ ସହାୟତାରେ ସେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ୍ ଆନୁକୁଲ୍ୟରେ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳାରେ ଜିଲ୍ଲାର ବିଭାଗୀୟ ମୁଖ୍ୟମାନେ ଏହା ପ୍ରକାଶ କରିଛନ୍ତି । ଏହି କର୍ମଶାଳାରେ ଡିଡିଏମ୍ ନାବାର୍ଡ ଶ୍ରୀଯୁକ୍ତ ଲକ୍ଷ୍ମଣ ସାଏ, ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ, ଉପ-ନିର୍ଦ୍ଦେଶକ ଉଦ୍ୟାନକୃଷି ସାରଦା ପ୍ରସାଦ ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ସୌମେନ୍ଦ୍ର କୁମାର ମିଶ୍ର, ଜିଲ୍ଲାମୁଖ୍ୟ ପ୍ରାଣୀଧନ ଅଧୁକାରୀ ଡ.ଦିଗାମ୍ବର ନାୟକ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଉମେଶକୁମାର ଧରୁଆ, ବ୍ଲକ କୃଷି ଅଧିକାରୀ ଲୋଇସିଂହା ହରିହର ନାୟକ, ସହକାରୀ ଉଦ୍ୟାନ ଅଧିକାରୀ ସୁନିଲ କୁମାର ମାଝି, ସହକାରୀ ଉଦ୍ୟାନ ଅଧିକାରୀ ସମ୍ବିଧାନ ଭୁଏ, ଲିଡ ବ୍ୟାଙ୍କ ପ୍ରତିନିଧି ଡି.ପି. ମୁଣ୍ଡ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ବୋର୍ଡ ସଭ୍ୟ ମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ଗଠନର ଉପାଦେୟତା, ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ, ପଶୁ ଓ ମତ୍ସ୍ୟପାଳନ, କୃଷି, ଉଦ୍ୟାନ କୃଷି, ବ୍ୟବସାୟିକ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଲୋଇସିଂହା ଏବଂ ବଙ୍ଗାମୁଣ୍ଡା ବ୍ଲକର ଦୁଇଟି କୃଷକ ଉତ୍ପାଦକ କମ୍ପାନୀର ୩୦ ଜଣ ବୋର୍ଡ ସଦସ୍ୟ ଯୋଗ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ବୋର୍ଡ ସଦସ୍ୟ ମାନଙ୍କ ଦାୟିତ୍ଵ ଓ କର୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସର୍ବଶ୍ରୀ ରମେଶ ପ୍ରଧାନ, ରିଙ୍କୁ ବାଗ, ପ୍ରଶାନ୍ତ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।
