pakka

ଗନ୍ଧମାର୍ଦ୍ଦନ ଭୋଜପୁରଗଡ଼ର ଜଳ ମହାଦେବ : ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ଝରଣା ଜଳରେ ବୁଡ଼ି ପାଉଛନ୍ତି ପୂଜା

l2

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତରେ ବହୁ ଦର୍ଶନୀୟ ସ୍ଥାନ ରହିଛି ଏଥିମଧ୍ୟରୁ ଜଳ ମହାଦେବ ଅନ୍ୟତମ । ପୂର୍ବେ ଭୋଜପୁରଗଡ଼ରେ ତନ୍ତ୍ରପୀଠ ଭାବରେ ପରିଚିତ ଥିବା ଏହି ଭୋଜପୁର ଗଡ଼ ପରବର୍ତ୍ତୀ ସମୟରେ ପାଟଣା ରାଜା ଭୋଜରାଜଙ୍କ ଗଡ଼ ହିସାବରେ ଦଖଲ ହୋଇ ପନ୍ଦର କିଲୋମିଟର ବ୍ୟାସ ମଧ୍ୟରେ ଗଡ଼ ତିଆରି ହୋଇଥିଲା । ପର୍ଯ୍ୟାୟ କ୍ରମେ ବୁଢାସମ୍ବର ଜମିଦାରଙ୍କୁ ଗଡ଼ ହସ୍ତାନ୍ତର ପରେ ବୁଢାସମ୍ବର ଜମିଦାରଙ୍କ ପରିସୀମାରେ ଭୋଜପୁର ଗଡ଼ ରହିଥିଲା । ପରବର୍ତ୍ତୀ ସମୟରେ ଗଡ଼ ନଷ୍ଟ ହେବାରେ ଲାଗିଲା ଓ ଏବେ ତାର ଧ୍ୱଂସାବଶେଷ ରହିଛି । ପ୍ରାକୃତିକ ଶୋଭା ଭିତରେ ଏହି ଗଡ଼ ପରିସରରେ ପାଟମାହେଶ୍ୱରୀ, ସମଲେଶ୍ୱରୀଙ୍କ ସମେତ ଜଳ ମହାଦେବ ପୂଜାର୍ଚ୍ଚନା ପାଉଛନ୍ତି । କୌଣସି ଗୋଟିଏ ମଧ୍ୟ ମନ୍ଦିର ଏଠାରେ ନାହିଁ । ସମସ୍ତ ଦେବାଦେବୀଙ୍କ ସମେତ ଜଳ ମହାଦେବ ପ୍ରାକୃତିକ ପରିବେଶ ମଧ୍ୟରେ ଖୋଲା ଆକାଶ ତଳେ ଗର୍ଭ ଗୃହରେ ପୂଜା ପାଉଛନ୍ତି । ବର୍ଷର ଶିବରାତ୍ରି ସମେତ ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ପ୍ରାୟ ଆଠ କିଲୋମିଟର ପାହାଡ ପର୍ବତ ଚଢ଼ି ଶିବଙ୍କ ଆଶିର୍ବାଦ ନେବା ପାଇଁ ବହୁଦୂରରୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନରେ ତିନୋଟି ଗଡ଼ ଭୋଜପୁର, ହୁମେରଗଡ଼ ଓ ବାମନଗଡ଼ ସହ ୨୨ଗୋଟି ଝରଣା ରହିଛି ଓ ଏଥିମଧ୍ୟରୁ ଦଶ ଗୋଟି ଚିରସ୍ରୋତା ଝରଣା କୁଳୁକୁଳୁ ନାଦରେ ବହି ଚାଲିଛି । ଏଥିମଧ୍ୟରୁ ଭୋଜପୁର ଗଡ଼ର ଜଳ ମହାଦେବ ଅନ୍ୟତମ । ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଥିବା ଭୋଜପୁରଗଡ଼ରୁ ଏହି ଚିରସ୍ରୋତା ଝରଣା ବାହାରି ପୂର୍ବ ଦିଗକୁ ଗତି କରିଛି । ଏ ଝରଣା ଭିତରେ ଏକ ଗର୍ତ୍ତ ଭିତରେ ପାଣିରେ ବୁଡ଼ି ଠାକୁର ରହି ଥିବାରୁ ବୁଢ଼ା ସମ୍ବର ଜଳ ମହାଦେବ ନାମରେ ପରିଚିତ । ଏହି ଜଳ ମହାଦେବ ନିକଟକୁ ଯିବାକୁ ହେଲେ ପଦ୍ମପୁର ସହରଠାରୁ ଗୋଟିଏ ରାସ୍ତା ବୁଢାସମ୍ବର ଗାଁରୁ ଗନ୍ଧମାର୍ଦ୍ଦନ ଉପରକୁ ଯାଇଛି ଓ ଅନ୍ୟ ରାସ୍ତା ବୁଡେନ ବତିପଥର ଗାଁରୁ ଯାଇଛି । ଉଭୟ ପଟରୁ ପ୍ରାୟ ଆଠ କିଲୋମିଟର ରାସ୍ତା । ମୁଖ୍ୟତଃ ଆଦିବାସୀଙ୍କ ବସତି ଏ ଅଞ୍ଚଳରେ ଅଧିକ ହୋଇଥିବାରୁ ଆଦିବାସୀଙ୍କ ପୂଜାର୍ଚ୍ଚନା ସେଠାରେ ଅଧିକ । ବରଗଡ଼ ଓ ବଲାଙ୍ଗିର ଦୁଇ ଜିଲ୍ଲା ୮ଖଣ୍ଡ ଗାଁ ବତିପଥର, ଅମରାଖୋଲ, ବୁଢାସମ୍ବର, ଚାବରିପାଲି, ଠୁଟିଭଟା, ମଲଦା, ଖଲାବାହାଲ, ଗୌରଜୁରୀ ଲୋକମାନେ ଏ ପୀଠ ଉପରେ ବିଶ୍ୱାସ ସହ ପୂଜାର୍ଚ୍ଚନା କରନ୍ତି । ଜଙ୍ଗଲ ଚଢ଼ି ଉପରକୁ ଯିବାକୁ ପଡୁଥିବାରୁ ସମସ୍ତଙ୍କ ପକ୍ଷରେ ଯିବା ସମ୍ଭବ ହେଉ ନଥିବାରୁ ଲୋକମାନେ ସହଜରେ ପହଞ୍ଚି ପାରନ୍ତି ନାହିଁ । ପ୍ରାକୃତିକ ଶୋଭାରେ ଭରପୁର ଚିରଶ୍ରୋତା ଝରଣା ଅତି ଚମତ୍କାର ପରିବେଶର ଏକ ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । କନ୍ଧ ଆଦିବାସୀଙ୍କ ଜଳ ମହାଦେବ ପୀଠର ପୂର୍ବରୁ କନ୍ଧ ପୂଜକମାନେ ପୂଜାର୍ଚ୍ଚନା କରିଆସୁଥିଲେ । ଲୋକକଥା ଅନୁସାରେ ଜଳ ମହାଦେବର ଶେଷପୂଜକ ହେଉଛନ୍ତି କୀର୍ତ୍ତନ ମଲ୍ଲିକ ଓ ତାଙ୍କ ପରେ ବହୁବର୍ଷ ପୂଜକ ନଥିବା ବେଳେ ଗତ ଦୁଇହଜାର ମସିହାରେ ଜଣେ ତପସ୍ୱୀ ସେଠାରେ ରହି ପୂଜାର୍ଚ୍ଚନା କରୁଛନ୍ତି । କନ୍ଧ ବାବା ନାମରେ ସ୍ଥାନୀୟ ଭୋଜପୁର ଗଡ଼ ଜଳ ମହାଦେବରେ ପରିଚିତ ଏହି ବାବା ଓ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହଯୋଗରେ ପ୍ରାକୃତିକ ପରିବେଶ ଜଳ ମହାଦେବ ପୀଠର ରକ୍ଷଣା ବେକ୍ଷଣ ହୋଇ ପାରୁଛି । ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ, ଜଳ ମହାଦେବ ଠାରେ ଗୋଟିଏ ନଳକୂପ ଓ ଗୋଟିଏ ମଣ୍ଡପର ଆବଶ୍ୟକତା ରହିଛି । ଏଇ ଲୁକକ୍କାୟିତ ପୀଠକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନ କ୍ଷେତ୍ର ଘୋଷଣା କଲେ ଭୋଜପୁରଗଡ଼ ଜଳ ମହାଦେବ ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ସହ ଗନ୍ଧମାର୍ଦ୍ଦନର ଶୋଭା ଆହୁରି ବଢ଼ିପାରନ୍ତା ।

pp
Leave A Reply

Your email address will not be published.

5 × one =