jayashree

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ

  • ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
  • ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ
  • ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ
  • ୧ଟି ଆସିଷ୍ଟାଣ୍ଟ କମିଶନର, ୬ଟି ଏ.ଏସ୍‌.ଆଇ. ଏବଂ ୬୦ଟି କନେଷ୍ଟବଳ ପଦବୀକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟିକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି । ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ । ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୋଲିସ୍‌, ୬ଟି ଆସିଷ୍ଟାଣ୍ଟ ସବ୍‌ ଇନସ୍‌ପେକ୍ଟର ଅଫ୍‌ ପୋଲିସ୍‌ ଏବଂ ୬୦ଟି ପୋଲିସ୍‌ କନେଷ୍ଟବଳ ପଦବୀ । ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର । ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀ ଗୁଡିକ କାର୍ଯ୍ୟ କରିବ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଟିମ୍‌ ଓ ୫ଟି ରିଜର୍ଭ ଟିମ୍‌ର ଆବଶ୍ୟକତା ଥିଲା । ପ୍ରତି ଟିମ୍‌ରେ ୨ଜଣ ପୁଲିସ୍‌ କନେଷ୍ଟବଳ ରହିବେ । ଏହି ଟିମ୍‌ ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର, ୬ ଜଣ ଆସିଷ୍ଟାଣ୍ଟ ସବ୍‌-ଇନସ୍‌ପେକ୍ଟର କାର୍ଯ୍ୟ କରିବେ । ଏହି ପଦବୀ ଗୁଡିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ ।

Leave A Reply

Your email address will not be published.