ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଉତ୍କୃଷ୍ଟ କ୍ରୀଡ଼ାର ନୂତନ ଯୁଗ : ଲୋକାର୍ପିତ ହେଲା ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ

  • ପୂର୍ବୋଦୟରୁ ହେଉଛି ନୂତନ କ୍ରୀଡ଼ା ଭାରତର ନିର୍ମାଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ଭିିତ୍ତିଭୂମିକୁ ସୁଦୃଢ କରିବା ଓ କ୍ରୀଡ଼ାବିତ୍‌ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହାୟତାରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ (ପିଆର୍‌ଏଚ୍‌ଏସ୍‌)ଠାରେ ନିର୍ମିତ ଅତ୍ୟାଧୁନିକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଆବାସ ତଥା ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିିତ କରିଛନ୍ତି । ଏହି ନବନିର୍ମିତ ଷ୍ଟାଡିୟମ୍‌ର ଉଦ୍‌ଘାଟନୀ ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ ଏବଂ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡଃ ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କେ ଭି ସିଂଦେଓ, ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ନିର୍ଦ୍ଦେଶକ (ପ୍ରକଳ୍ପ) ଦୀପକ ଗୁପ୍ତା ଏବଂ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶ ବର୍ଦ୍ଧିତ କରେ । ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି । ବଲାଙ୍ଗିର ଜିଲ୍ଲାରେ ଏହି ଇନ୍‌ଡୋର ଷ୍ଟାଡିୟମ ଯୋଗୁଁ ପଶ୍ଚିମ ଓଡ଼ିଶାରେ କ୍ରୀଡ଼ାର ଭିିତ୍ତିଭୂମିକୁ ସୁଦୃଢ କରିବ ଯଦ୍ୱାରା ଏହି ଅଞ୍ଚଳର ଯୁବ ଖେଳାଳିମାନଙ୍କୁ ସେମାନଙ୍କ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ । ଏଥିସହ ମନ୍ତ୍ରୀ ଆହୁରି କହିଥିଲେ ଯେ, ସମଗ୍ର ରାଜ୍ୟରେ ବଲାଙ୍ଗିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବୌଦ୍ଧିକ, ଶିକ୍ଷା, ସାହିତ୍ୟ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅନନ୍ୟ ଭୂମିକା ରହିଛି । ସମଗ୍ର ରାଜ୍ୟର ନେତୃତ୍ୱ ନେବାର କ୍ଷମତା ବଲାଙ୍ଗିରର ରହିଛି । ଏହି ଅଞ୍ଚଳର ସାମୁହିକ ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ । ଏଥିସହିତ, ଏଠାରେ ଏକ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ଇନ୍‌ଡୋର ଷ୍ଟାଡିୟମ ଯୋଗୁିଁ ପଶ୍ଚିମାଞ୍ଚଳର ଖେଳାଳିମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କହିଥିଲେ । ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ କହିଥିଲେ ଯେ, ଏକ ଶୈକ୍ଷିକ ପରିବେଶ ଭିତରେ କ୍ରୀଡ଼ାର ଏ ପ୍ରକାର ଭିତ୍ତିଭୂମି ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଖେଳୁଆଡ଼ ମନୋଭାବ ବୃଦ୍ଧି କରିବ । ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ଉଦ୍ୟମ ଆଧାରରେ ୯.୯ କୋଟି ଟଙ୍କା ମୂଲ୍ୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ାର ଭିତିଭୂମିକୁ ଅଧିକ ସୁଦୃଢ କରିବା ସହ ପ୍ରୋତ୍ସାହନ ଯୋଗାଇବ, ଯାହାକି ଯୁବବର୍ଗ ମଧ୍ୟରେ କ୍ରୀଡ଼ା ପ୍ରତିଭାକୁ ଅଧିକ ପ୍ରୋତ୍ସାହିତ କରିବ । ପିଆର୍‌ଏଚ୍‌ଏସ୍‌ ହାଇସ୍କୁଲରେ ଉଦ୍‌ଘାଟିତ ଏହି ଇନ୍‌ଡୋର ଷ୍ଟାଡିୟମରେ ଏକ ମୁଖ୍ୟ ହଲ୍‌ ରହିଛି, ଯେଉଁଠି ଜାତୀୟ ସ୍ତରର ଚାରିଟି ବ୍ୟାଡ୍‌ମିଣ୍ଟନ୍‌ କୋର୍ଟ ସହିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଅପାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ଯୁବବର୍ଗଙ୍କର କ୍ରୀଡ଼ା ଦକ୍ଷତା ପ୍ରତିପାଦନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ସେମାନଙ୍କର ପ୍ରତିଭାକୁ ନୂତନ ପ୍ରୋତ୍ସାହନ ମିଳିବ । ବଲାଙ୍ଗିରର ଇନ୍‌ଡୋର ଷ୍ଟାଡିୟମ ଦେଶର କୋଣ ଅନୁକୋଣରେ ରହୁଥିବା ଯୁବ ଖେଳାଳିମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅବସରରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ନିର୍ଦ୍ଦେଶକ (ପ୍ରକଳ୍ପ) ଦୀପକ ଗୁପ୍ତା କହିଥିଲେ ଯେ, ଗେଲ୍‌(ଇଣ୍ଡିଆ) ଏହି ପ୍ରକାର ସିଏସ୍‌ଆର୍‌ କାର୍ଯ୍ୟ ହାତକୁ ନେଇ ଥିବାରୁ ଗର୍ବିତ ଏବଂ ଏହାର ସିଏସ୍‌ଆର୍‌ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ସମୁଦାୟର ବିକାଶ ନିମନ୍ତେ ପ୍ରତିାୃତିବଦ୍ଧ । ଉଚ୍ଚମାନର କ୍ରୀଡ଼ା ଭିତିଭୂମି ଯୋଗାଇବା ଏବଂ ଯୁବ ଖେଳାଳିମାନଙ୍କ ଖେଳୁଆଡ଼ ମନୋଭାବକୁ ଆହୁରି ଶକ୍ତିଶାଳୀ କରିବାରେ ଗେଲ୍‌(ଇଣ୍ଡିଆ) ବିଶ୍ୱାସ ରଖେ ବୋଲି ଶ୍ରୀ ଗୁପ୍ତା କହିଛନ୍ତି । ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌, ଓଡିଶାରେ ବିଭିନ୍‌ ପ୍ରାକୃତିକ ଗ୍ୟାସ ପାଇପ୍‌ ଲାଇନ୍‌, ସହରୀ ଗ୍ୟାସ ବିତରଣ ସହ କୋଇଲା ଗ୍ୟାସିଫିକେସନ୍‌ ଆଧାରିତ ସାର କାରଖାନା ପାଇଁ କାର୍ଯ୍ୟ କରୁଛି । ପ୍ରାୟ ୬୮୫୦ କୋଟି ଟଙ୍କା ବ୍ୟୟରେ ୧୬୫୦ କିମି ଉଚ୍ଚ ଦକ୍ଷତା ସମ୍ପନ୍ନ କ୍ରସ କଂଟ୍ରି ପାଇପଲାଇନ୍‌ ନିର୍ମାଣ, ୧୭୨୯ କୋଟି ଟଙ୍କା ବିନିଯୋଗରେ ୧୧ଟି ଜିଲାରେ ଚାଲିଥିବା ସହରୀ ଗ୍ୟାସ ବିତରଣ କାର୍ଯ୍ୟ ବିଭିନ୍ନ ସୋପାନରେ ରହିଛି । ଏହାବ୍ୟତୀତ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହଭାଗିତା ଭିତରେ ତାଳଚେର ଫର୍ଟିଲାଇଜର ପ୍ରକଳ୍ପରେ ପ୍ରାୟ ୭୦୦୦କୋଟି ଟଙ୍କା ବିନିଯୋଗ କରିଛି । ଏହାଦ୍ୱାରା ପ୍ରକଳ୍ପ ସମୟରେ ପ୍ରାୟ ୧୦ ମିଲିଅନ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ଏବଂ କାର୍ଯ୍ୟକ୍ଷମ ପରେ ବାର୍ଷିକ ୨ ମିଲିଅନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଗେଲ୍‌ (ଇଣ୍ଡିଆ) ସମ୍ବନ୍ଧରେ :
ବାଣିଜ୍ୟ, ଟ୍ରାନ୍ସମିସନ, ଏଲ୍‌ପିଜି ଉତ୍ପାଦନ, ଏଲ୍‌ଏନ୍‌ଜିରେ ପୁନଃ ଗ୍ୟାସିଫିକେସନ, ପେଟ୍ରୋକେମିକାଲ୍ସ, ସିଟି ଗ୍ୟାସ, ଇଆଣ୍ଡପି, ଇତ୍ୟାଦି କାର୍ଯ୍ୟ କରୁଥିବା ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ହେଉଛି ଦେଶର ପ୍ରମୁଖ ପ୍ରାକୃତିକ ଗ୍ୟାସ୍‌ କମ୍ପାନୀ । ଦେଶର ପ୍ରାୟ ୧୪,୮୩୦ କିଲୋମିଟର ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନକୁ ଏହା ପରିଚାଳନା କରୁଅଛି । ସମ୍ପ୍ରତି ଏହା ଦେଶର ବିଭିନ୍ନ ସ୍ଥାନରେ ପାଇପଲାଇନ କାର୍ଯ୍ୟକୁ ଅଧିକ ସମ୍ପ୍ରସାରଣ କରିବା ପାଇଁ କାର୍ଯ୍ୟ ଜାରି ରଖିଛି । ଗ୍ୟାସ ପରିଚାଳନାରେ ଗେଲ୍‌ (ଇଣ୍ଡିଆ) ପ୍ରାୟ ୬୮% ବଜାର ଅଂଶକୁ ପରିଚାଳନା କରୁଥିବା ବେଳେ ବ୍ୟବସାୟରେ ଏହାର ଅଂଶ ୫୩%ରୁ ଅଧିକ ରହିଛି ଏବଂ ସହରୀ ଗ୍ୟାସ ବିତରଣରେ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକ ବଜାର ଅଂଶ ମଧ୍ୟ ରହିଛି । ତରଳ ପ୍ରାକୃତିକ ଗ୍ୟାସ (ଏଲ୍‌ଏନ୍‌ଜି) ବଜାରରେ ଗେଲ୍‌ର ଏକ ବୃହତ୍‌ ପୋର୍ଟଫୋଲିଓ ରହିଛି । ସୌରଶକ୍ତି, ୱିଣ୍ଡ ଏବଂ ଜୈବ ଇନ୍ଧନ ଏବଂ ଗ୍ରୀନ୍‌ ହାଇଡ୍ରୋଜେନ ପରି ଅକ୍ଷୟ ଶକ୍ତିରେ ଗେଲ୍‌ ନିଜର ଆଧିପତ୍ୟ ବିସ୍ତାର କରୁଅଛି ।

Leave A Reply

Your email address will not be published.