ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧୀନରେ ଥିବା ଯୁବାଖୋଲ ଗାଁର ନାଁ ଏଇ ଭଳିଆ ରଖାଯିବାର କିମ୍ବଦନ୍ତୀଟିଏ ରହିଛି । ଯୁବାଖୋଲ ଗାଁର ନାମ ଦୁଇଟି ଶବ୍ଦରେ ମିଶ୍ରଣରେ ହୋଇଛେ । ଆଗରୁ ଗାଁରେ ବହୁତ ଜଙ୍ଗଲ ଥିଲା । ଏବେ ବି ରହିଛି । ହେଲେ ପୂର୍ବ ଅପେକ୍ଷା କମ୍ । ଚାରିଦିଗରେ ଚାରୋଟି ପାହାଡ଼ ଛିଡା ହୋଇଅଛି । ସେ ସମୟରେ ପାଣଟାଗଡ ବଲାଙ୍ଗିର ଜିଲ୍ଲାର ବିଂଝାଲ ଜାତିର ଏକ ପରିବାର ନିଜର ଝିଅକୁ ବାହା ଦେବା ପାଇଁ ଏଇ ଗାଁକୁ ଆସୁଥିଲେ । ଗାଁ ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବ୍ରାହ୍ମଣୀ ପାହାଡକୁ ଡେ଼ଇଁ ଆସିବା ସମୟରେ ରାସ୍ତାରେ ଥକ୍କା ମାରଲେ । ବାହା ହେବା ପାଇଁ ଆସିଥିବା ଝିଅ (ଭୁଆଷୁଣୀ) ନିକଟରେ ଥିବା ପଡିଆକୁ ଶୌଚ ପାଇଁ ଗଲେ । ନିକଟରେ ଥିବା କୂଅଁକୁ ଧୋଇ ହେବା ପାଇଁ ଯିବା ପରେ ସେଇଠି ହଁ ଅଦୃଶ୍ୟ ହୋଇଗଲେ । ଲୋକେ ବହୁତ ଖୋଜାଖୋଜି କଲେ । ତା ସତ୍ବେ ଆଉ ପାଇଲେ ନାହିିଁ ଓ ଗାଁକୁ ନିରାଶ ହୋଇ ଫେରି ଆସିଲେ । ଲୋକମାନେ ବନ ଦେବୀ ଭୂଆଷୁଣୀଙ୍କୁ ଉଭେଇ ନେଇଗଲେ ବୋଲି ଭାବିଲେ । ସେଇ ଦିନଠୁ ଗାଁ ଲୋକେ ସେ କୂଅଁକୁ ଯୁବତୀ କୁଅଁ କହିଲେ । ଦୁଇଟି ପାହାଡ ମଧ୍ୟବର୍ତ୍ତି ସ୍ଥାନରେ ଖୋଲ (ନଲିଆ) ଟିଏ ରହିଅଛି । ସେଇ ସ୍ଥାନକୁ ଯୁବାଖୋଲ ବୋଲି କହିଥାନ୍ତି ।
ଯୁବାଖୋଲ ଇତିହାସ ବିଷୟରେ ୮୦ ବର୍ଷର ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଜାଣିବାକୁ ମିଳିଛି ଯେ, ଏଇ ଗାଁରେ ଲୋକେ ବସବାସ କରିବାର ପ୍ରାୟ ୨୦୦ ବର୍ଷ ହେଲାଣି । ପ୍ରଥମେ ବିଂଝାଲ ହରିଜନ ପରିବାର ରହୁଥିଲେ । ବାରପୁଟା ବୋଲି ସେଇ ପାହାଡ଼ ତଳେ ବସବାସ କରୁଥିଲେ । ସେଇଠି ହଇଜା ରୋଗ ଲାଗିବାରୁ ୧ କିଲୋମିଟର ଦୂରବର୍ତ୍ତ ସ୍ଥାନକୁ ଚାଲି ଆସିଲେ । ସେଇଠି ଘର ଦ୍ବାର ତିଆରି କରି ଜୀବନ ଯାପନ କଲେ । ଏଇ ଗାଁର ଗଅଁତିଆ ଭାବରେ ବଡ ଭୋଇ ମଙ୍ଗଲୁ ବରିହାଙ୍କୁ ବାଛିଥିଲେ । ସେ କର ଖଜଣା ନେଇ ନ ପାରିବାରୁ ରାଜା ରାଜେନ୍ଦ୍ର ସିଂ ଵରିହା କଁସର (ସପିଁଆ)ରୁ ଗଉଡ ଜାତିର ପରିବାର ମାନଙ୍କୁ ଆଣିଥିଲେ । ସେଇ ଦିନଠୁ ଗାଁ ଗଅଁତିଆ ଭାବେ ଗଉଡ ଜାତିର ବ୍ୟକ୍ତି ରହି ଆସୁଛନ୍ତି । ତେବେ ଏଇ ଗାଁଟି ଆଦିବାସୀ ଅଂଚଳ ହୋଇଥିବା ବେଳେ ଗାଁରେ କୌଣସି ସରକାରୀ ଯୋଜନା ପହଂଚି ପାରୁନାହିିଁ । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସେ କହିଛନ୍ତି ।