jayashree

ଖୁସି ବାଣ୍ଟୁଥିବା ମଣିଷ ବିଭୁତି ସାହୁ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ନୁହଁନ୍ତି ସେ କୌଣସି ଦଳର ରାଜନେତା ବା ନୁହନ୍ତି ସେ କୌଣସି ଅନୁଷ୍ଠାନର ସଭାପତି କିମ୍ବା କର୍ମକର୍ତ୍ତା ତଥାପି ବିନା ଡାକରାରେ ପହଂଚି ଯାଆନ୍ତି କମ୍ବଳ ଖଣ୍ଡିଏ ଧରି ସେହି ମଣିଷ ପାଖରେ ଯାହାର ଶୀତ ଦିନେ ଘୋଡେଇ ହେବାକୁ ଚାଦର ଖଣ୍ଡିଏ ନହିଁ, ବର୍ଷା ଦିନେ କାହାର ଘର ଛପର ନଥିବାରୁ ଯାଇ ପାଲ ବିଛାନ୍ତି, ଲକ୍ ଡାଉନ୍ ସମୟରେ କେଉଁ ମଜୁରୀଆ ପରିବାର ଚୁଲିରେ ନିଆଁ ଜଳୁନାହିଁ, ଚାଉଳ ଡାଲି ଧରି ପହଁଚି ଯାଆନ୍ତି ଆପଣାର ମଣିଷ ଭଳି । ଯଦି ପୁରୀ ବଡ଼ ଠାକୁରଙ୍କ ପାଖକୁ ଦର୍ଶନ କରିବାକୁ ଯାଆନ୍ତି ସମସ୍ତଙ୍କ ମଙ୍ଗଳ କାମନା କରି ଠାକୁରଙ୍କ ଛିଟ, ପ୍ରସାଦ କଡୁଆ ସହ ଚକା ଆଖିଆର ଫଟ ନେଇ ପହଞ୍ଚି ଦରଦୀ ମଣିଷ ଘରେ ନେଇ ଟାଙ୍ଗୀ ଦିଅନ୍ତି, ସେ ଚାହାଁନ୍ତି ଶୁଖିଲା ମୁହଁରେ ହସ । ମନ ଥିଲେ ଜନର ଅଭାବ ନଥାଏ ଏହି କଥାକୁ ସତରେ ପ୍ରମାଣ କରିଦିଏ ଘଣ୍ଟପଡା ଗ୍ରାମର ନିସ୍ଵାର୍ଥୀ ମଣିଷ ବିଭୁତି ଭୂଷଣ ସାହୁ ଯାହାକୁ ପିଲା ଠାରୁ ବୁଢା, ଦିନ ମଜୁରିଆ ଠାରୁ ବୁଦ୍ଧିଜୀବୀ ସମସ୍ତେ କେବଳ ଗୋଟିଏ ନାମରେ ଜାଣନ୍ତି ବିଭୁତି ଭାଇ, ସତରେ ନିଜ ସାହୁ ସାଙ୍ଗିଆ ହରାଇ ଦେଇଛନ୍ତି ଆଉ ପାଲଟି ଯାଇଛି ସମସ୍ତଙ୍କର ଅତି ଆପଣାର ମଣିଷ ଯାହାର କେବଳ ଭୂଷଣ “ବିଭୁତି ଭାଇ” । ଆଜିର ଏହି ସ୍ୱାର୍ଥପର ଦୁନିଆରେ ଆମେ ଦେଖୁଛେ ଅନେକ ଶିକ୍ଷିତ ପୁଅ ବହୁ ବାପା ମା’ଙ୍କୁ ହତାଦର କରି ବୃଦ୍ଧାଶ୍ରମରେ ଛାଡି ଆସୁଛନ୍ତି, ଭାଇ ଭାଇ ମଧ୍ୟରେ ଖଣ୍ଡେ ରାସ୍ତାକୁ ନେଇ ମାଲି ମୋକୋଦମା, ଏହି ଭଳି ସମୟରେ ମଣିଷପଣିଆ କେତେ ନିମ୍ନ ସ୍ତରକୁ ଚାଲି ଯାଇଛି ସମସ୍ତ ଉଣା ଅଧିକେ ହୃଦୟଙ୍ଗମ କରି ପାରୁଥିବେ କିନ୍ତୁ କିଛି ଏଭଳି ମଣିଷଙ୍କୁ ଦେଖିଲେ ବିଶ୍ୱାସ ହୁଏ ନା’ ଆଜିବି ମଣିଷ ପଣିଆ ସମାଜରେ ବଂଚିଛି । ଏହି ଭଳି ମଣିଷ ଆଜି ସମାଜରେ ନିତାନ୍ତ ଜରୁରୀ । କିଛି ସମ୍ବେଦନା କିଛି ଖୁସି ଓ ଓଠରେ ଟିକିଏ ହସ ଖେଳେଇ ପାରୁଥିବା ଏହି ଦରଦୀ ମଣିଷ ଆମ ସମାଜରେ କେଉଁଠି ନା’ କେଉଁଠି ଅଛନ୍ତି ଯାହାଙ୍କୁ ସମାଜ ସମ୍ମୁଖକୁ ଆଣିବା ନିତାନ୍ତ ଆବଶ୍ୟକ ଅନ୍ତତଃ ସମାଜରେ ଲୁପ୍ତପ୍ରାୟ ମାନବିକ ମୂଲ୍ୟବୋଧ ପୁନଃ ଉଜ୍ଜିବିତ ହେବ ।

Leave A Reply

Your email address will not be published.