ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ପ୍ରାୟ ୧୯ ମାସରୁ ଅଧିକ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିଲେ । ତେବେ ଅନୁମତି ମିଳିବା ପରେ ଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ଆଗରୁ ସ୍କୁଲ ପରିସରକୁ ସଫେଇ ସହିତ ସାନିଟାଇଜ କରିବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସ୍ତୁତି କରିବାକୁ କହିଥିଲେ । କୋଭିଡ଼ ଗାଇଡ଼ଲାଇନ ମୁତାବକ ସମସ୍ତ ବିଦ୍ୟାଳୟ ଏହି ପ୍ରସ୍ତୁତି ଶେଷ କରି ଆଜି ବିଦ୍ୟାଳୟଗୁଡ଼ିକରେ ଅଷ୍ଟମ ଶ୍ରେଣୀ ଖୋଲିଥିବା ଦେଖାଯାଇଛି । ମ.ରାମପୁର ବ୍ଲକର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି ଖୋଲିଥିବା ବେଳେ ପ୍ରାୟ ପଚାଶ ପ୍ରତିଶତରୁ ଅଧିକ ପିଲା ସମସ୍ତ ବିଦ୍ୟାଳୟରେ ଦେଖିବାକୁ ମିଳଥିଲା । ତେବେ ଅଷ୍ଟମ ଶ୍ରେଣୀ ଖୋଲିବା ପରେ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ସନ୍ତୋଷ ପ୍ରକାଶ ପାଇଛି ଏବଂ ସମସ୍ତ ବିଦ୍ୟାଳୟ କୋଭିଡ଼ ଗାଇଡ଼ଲାଇନର ଅନୁସରଣ ପୂର୍ବକ ଶିକ୍ଷାଦାନ ପ୍ରକ୍ରିୟା କରୁଥିବା ଜଣାଯାଇଛି । ତେବେ ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନାଚାର୍ଯ୍ୟ ପବିତ୍ର ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ କୋଭିଡ଼ ଗାଇଡ଼ଲାଇନ ପାଳନ କରିବା ସହିତ ସାମାଜିକ ଦୂରତା ରଖି ଶିକ୍ଷାପ୍ରକ୍ରିୟା ଚାଲୁ ରଖିବାକୁ କହିବା ପରେ ବିଦ୍ୟାମନ୍ଦିରରେ ଶିକ୍ଷାଦାନ ଆରମ୍ଭ ହେଇଥିଲା ।
Next Post