ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତ୍ୟାଙ୍କ ଅଧ୍ୟକ୍ଷତାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ବିନିକାର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପରିଷ୍କାର ପରିଚ୍ଛନ୍ନ ପରିବେଶରେ ସ୍ଵାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ହିଁ ସ୍କୁଲ ପିଲାଙ୍କୁ ପାଠମନପୋଯୋଗୀ କରାଇବାରେ ସହାୟକ ହେବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଉଦ୍ଘାଟନୀ ସମାରୋହକୁ ସଂଯୋଜନା କରିଥିଲେ ଜାରିଂ ସିଆର୍ସିସି ରାଜେଶ୍ଵର ବେହେରା । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷଣ ପୂର୍ବରୁ ପାଚିକା ସହାୟିକାଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପିଲାମାନେ ପାଶ୍ଚାତ୍ୟ ଖାଦ୍ୟ ପ୍ରତି ବିମୁଖ ହୋଇ ପାରଂପରିକ ଖାଦ୍ୟ ଖାଇବାକୁ କିପରି ଆକର୍ଷିତ ହେବେ ତାହା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଦର୍ଶିତ ଖାଦ୍ୟ ପ୍ରଦର୍ଶନୀକୁ ସ୍ଥାନୀୟ ଅଞ୍ଚଳର ଅଭିଭାବକ ପରିଦର୍ଶନ କରି ବିମୋହିତ ହୋଇଥିଲେ । ପରେ ସନ୍ତୋଷ ବାଗ, ଶଶିଭୂଷଣ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ଦୁଇଟି ଶିବିରରେ ଜାରିଂ, ବିଜେପୁର, ଟି. ଗଣ୍ଡପାଲି, ଖରମୁଣ୍ଡା, ପଡା କ୍ଲଷ୍ଟରର ୧୦୫ ଜଣ ପାଚିକା ସହାୟିକା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଲାଉମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିରରେ ଲାଉମୁଣ୍ଡା, ପଥର୍ଲା, ବଡବ୍ରାହ୍ମଣୀ, ବଡବାଉଁଶେନ, ତାଳପଦର, ବାନ୍ଦୁପାଲି, ଯୋଖିପାଲି କ୍ଲଷ୍ଟରର ୧୫୩ ଜଣ ପ୍ରଶିକ୍ଷଣ ନେଇଥିଲେ । ବାସୁଦେବ ପଧାନ, ଘନଶ୍ୟାମ ଦଣ୍ଡସେନା, ଦୟାନନ୍ଦ ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଥିଲେ । ବିଆର୍ସିସି ଦିବାକର ବରିହା, ସୁଶାନ୍ତ କୁମାର ପାଣ୍ଡେ, ସିଆର୍ସିସି ଦୁର୍ବାଦଳ ବଡଗୋଛିଆ ଶିବିର ପରିଦର୍ଶନ କରିଥିଲେ । ଲାଉମୁଣ୍ଡା ସିଆର୍ସିସି ପ୍ରକାଶ ମହାନନ୍ଦ, ହେମନ୍ତ କୁମାର ଆରୁକ, ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିଥିବା ଲଳିତ ସାହୁ,ଵିଆରଟି ଜନାର୍ଦ୍ଦନ ବାରିକ ସମେତ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।