
ହରଭଙ୍ଗା : ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆସିଥିଲା ଆମ୍ୱୁଲାନ୍ସ । ହେଲେ ଆମ୍ୱୁଲାନ୍ସକୁ ଚାଳକ ବଦଳରେ ଫାର୍ମାସିଷ୍ଟ ଚଳାଉଥିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶସିଙ୍ଗା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ୱୁଲାନ୍ସର ଜଣେ ସ୍ଥାୟୀ ଚାଳକ ଥିଲେ ମଦ୍ୟ କାହିଁକି ଫାର୍ମାସିଷ୍ଟ ଗାଡ଼ି ଚଳାଉଥିଲେ, ତା’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ, ଗତ ଶନିବାର ଦିନ ହରଭଙ୍ଗା ବ୍ଲକ କୁଶସିଙ୍ଗା ଗାଁରେ ପଥର ବ୍ଲାଷ୍ଟିଂ ବେଳେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ହରଭଙ୍ଗା ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଥିଲା । ହେଲେ ଉକ୍ତ ଆମ୍ୱୁଲାନ୍ସକୁ ଡ୍ରାଇଭର ବଦଳରେ ଜଣେ ଫାର୍ମାସିଷ୍ଟ ଚଳାଉଥିଲେ । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଆମ୍ୱୁଲାନ୍ସ ଚଳାଇବାକୁ ସ୍ଥାୟୀ ଡ୍ରାଇଭର ଥିଲେ ମଧ୍ୟ ଫାର୍ମାସିଷ୍ଟ କିଭଳି ଚଳାଉଥିଲେ ଗାଡ଼ି ? ତେବେ କିଏ ଏହି ଡ୍ରାଇଭର, ଯିଏ ଫାର୍ମାସିଷ୍ଟଙ୍କ ହାତରେ ଗାଡ଼ି ଛାଡ଼ିଥିଲେ । ଫାର୍ମାସିଷ୍ଟ ଜଣକ ପେସାରେ ଜଣେ ଡ୍ରାଇଭର ନା ପରିସ୍ଥିତିରେ ପଡ଼ି ନିଜେ ଆମ୍ବୁଲାନ୍ସ ଚଳେଇ ଯାଇଥିଲେ ତାହା ସବୁଠୁ ବଡ଼ ପ୍ରଶ୍ନ । ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି କରିଛନ୍ତି ।