
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ପୁଲିସର ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ, ଯୌନ ଉତ୍ପୀଡନର ପ୍ରତିରୋଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଯୋଗ୍ୟ ଅଭିଯୋଗ କମିଟିର ମୁଖ୍ୟ ପ୍ରାଧ୍ୟାପିକା ଭାରତୀ ବରୁୱାଙ୍କ ଆବାହକତ୍ଵ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଡ. ଶ୍ରାବଣୀ ନାୟକ ମୁଖ୍ୟଅତିଥି, ଡିଏସପି ଗୁରୁବାରୀ ହେମ୍ବ୍ରମ ଓ ସାଇବର ଡିଏସପି ସେରୋଫିନା ଖେସ୍ ସମ୍ମାନିତ ଅତିଥି ତଥା ବିଷୟ ବିଶେଷଜ୍ଞ ଓ ଅନ୍ୟତମ ଅତିଥି ଭାବେ ସେକ୍ଟର-୩ ଥାନାର ସବଇନ୍ସପେକ୍ଟର ଦୁର୍ଯ୍ୟେଧେନ ପ୍ରଧାନ ଓ ଏଏସଆଇ ବି. ଡି. ଖିଲାର ପ୍ରମୁଖଯୋଗଦେଇଥିଲେ । ମୁଖ୍ୟଅତିଥି ଡ. ନାୟକ ଉପସ୍ଥିତ ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଝିଅମାନଙ୍କ ଜନ୍ମ ପୂର୍ବରୁ, ଜନ୍ମପରେ, ବାହାହେବା ପୂର୍ବରୁ ଓ ପରବର୍ତ୍ତୀ କାଳ ପାଇଁ ଆଇନ ରହିଛି । କୌଣସି ଡାକ୍ତର ବା ଡାକ୍ତରଖାନା ଲିଙ୍ଗ ନିରୂପଣ କରିପାରିବେ ନାହିଁ । ଯୌତୁକ ଦେବା ଓ ନେବା, ବାଲ୍ୟବିବାହ, ସାଇବର କ୍ରାଇମ, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲେଇବା ଆଦି ଅପରାଧ ହୋଇଥିଲେ ହେଁ ନିୟମ ନଜାଣିବା ମଧ୍ୟ ଅପରାଧ ବୋଲି ମତ ରଖିଥିଲେ । ଏହାସହ ସୋସିଆଲ ମିଡ଼ିଆର ଉଭୟ ଭଲ ଓ ମନ୍ଦ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡିଏସପି ଶ୍ରୀମତୀ ହେମ୍ବ୍ରମ୍ ବାଳ ଶ୍ରମିକ, ପୋସ୍କୋ ଓ ଜୁଭେନାଇଲ ନିୟମ, କର୍ମକ୍ଷେତ୍ରରେ ଖରାପ ଓ ଭଲ ଛୁଇଁବା ମଧ୍ୟରେ ପାର୍ଥକ୍ୟ, ଯୌନ ଉତ୍ପୀଡନ ତଥା ଶିଶୁମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡିଏସପି ଖେସ୍ ସାଇବର କ୍ରାଇମର ଉଭୟ ସାମାଜିକ ଓ ଅର୍ଥନୈତିକ ଦିଗ ସମ୍ପର୍କରେ ତଥା ସାମାଜିକ ଗଣମାଧ୍ୟମଗୁଡିକ ବ୍ୟବହାର ସମୟରେ ଅସାବଧାନତା, ସେଲଫି ମାନିଆ ଓ ଭିଡ଼ିଓ କଲରେ ଉଲଗ୍ନ ନହେବା ତଥା ଡିଜିଟାଲ କ୍ରାଇମ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହାସହ ସୋସିଆଲ ମିଡିଆରେ ଅଚିହ୍ନା ଲୋକମାନଙ୍କ ସହ ପରିଚୟ ନରଖିବା, ଆର୍ଥିକ କାରବାରରେ ଅଘଟଣକୁ ସ୍ୱର୍ଣ୍ଣିମ ସମୟ ଘଟଣାର ୧ଘଣ୍ଟା ମଧ୍ୟରେ ସାଇବର ଥାନାରେ ଅଭିଯୋଗ କରିବା, କୌଣସି ଅଜଣା ଲିଙ୍କକୁ ଗ୍ରହଣ ନ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଅନ୍ୟତମ ଅତିଥି ଶ୍ରୀ ପ୍ରଧାନ ସଚେତନ ଓ ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳାମାନଙ୍କ ସୁରକ୍ଷା ପାଇଁ ମୋବାଇଲ ନମ୍ବର ୯୮୨୭୫୭୨୩୩୨ରେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଏହି ଅବସରରେ ଆଲୋଚ୍ୟ ବିଷୟ ସମ୍ପର୍କରେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ ପରୀକ୍ଷା କରାଯାଇ ସଫଳ ଛାତ୍ର-ଛାତ୍ରୀ ଗୀତାରାଣୀ ଟପ୍ପୋ, କିରଣ ରାୟ, ଅନୁ ଟପ୍ପୋ ଓ ବିଶ୍ୱଜିତା ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଓ ସଂଯୋଜକ ଶ୍ରୀ ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଏହି ସଚେତନତା କାର୍ଯ୍ୟକ୍ରମର ଆବାହକ ପ୍ରାଧ୍ୟାପିକା ଭାରତୀ ବରୁୱା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟପିକା ବନ୍ଦନା ସୋରେନ୍, ଅଧ୍ୟାପକ ସିଦ୍ଧାର୍ଥ ସାହୁ, ଏଏସଆଇ ବି. ଡି. ଖିଲାର, କନେଷ୍ଟବଳ ଅଲିଭାଦୀପ୍ତି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।